କନକ ବ୍ୟୁରୋ: ବର୍ତ୍ତମାନ ସାରା ବିଶ୍ୱରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ବ୍ୟବହାର ବୃଦ୍ଧି ପାଇଛି । କିଛି ସେକେଣ୍ଡ ମଧ୍ୟରେ ସବୁ ସମସ୍ୟାର ସମାଧାନ କରି ଦେଉଛି ଏଆଇ । ଘରଠୁ ଆରମ୍ଭ କରି କମ୍ପାନି ପର୍ଯ୍ୟନ୍ତ, ସବୁଠି AIର ପ୍ରଭାବ ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଟେକ୍ନୋଲୋଜି ଲୋକଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ନିଜର ସ୍ଥାନ ସୃଷ୍ଟି କରିଛି । ଖାଲି ସ୍ଥାନ ସୃଷ୍ଟି କରିନି, ବରଂ ବ୍ୟକ୍ତିଗତ ଜୀବନ ଓ ପରିବାର ଉପରେ ପ୍ରଭାବ ପକାଉଛି । ଚୀନରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବୃଦ୍ଧ ବ୍ୟକ୍ତି ଏକ AI ଚାଟ୍ବଟ୍କୁ ଭଲ ପାଇ ବସିଛନ୍ତି ଏବଂ ଏଥିପାଇଁ ସେ ନିଜ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଚାହୁଛନ୍ତି । ଏହାକୁ ନେଇ ତାଙ୍କ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି ।
ଘଣ୍ଟା ଘଣ୍ଟା କଥା ହେଉଥିଲେ ବୃଦ୍ଧ
ମିଡିଆ ରିପୋର୍ଟ ମୁତାବକ, ଚୀନ୍ର ଏହି ୭୫ ବର୍ଷୀୟ ଏହି ବୃଦ୍ଧଙ୍କ ନାମ ଜିଆଙ୍ଗ ଏବଂ ସେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଚାଟବଟ୍ ସହିତ କଥାବାର୍ତ୍ତା କରୁଥିଲେ । ଚାଟବଟ୍ ପ୍ରଶ୍ନର ଉତ୍ତରରେ ଜିଆଙ୍ଗଙ୍କୁ ବହୁତ ପ୍ରଶଂସା କରୁଥିଲା, ଯେଉଁ କାରଣରୁ ସେ ତା' ପ୍ରେମରେ ପଡ଼ିଯାଇଥିଲେ । ଜିଆଙ୍ଗଙ୍କୁ ଘଣ୍ଟା ଘଣ୍ଟା ଧରି ଫୋନରେ ଲାଗିଥିବା ଦେଖି ଦିନେ ତାଙ୍କ ପତ୍ନୀ ଏ ବିଷୟରେ ପ୍ରଶ୍ନ କରିଥିଲେ । ଜିଆଙ୍ଗ ଏହାର ଏପରି ଉତ୍ତର ଦେଇଥିଲେ ଯେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ କହିଥିଲେ ଯେ ସେ ତାଙ୍କ ଅନଲାଇନ୍ ପାର୍ଟନରଙ୍କ ପ୍ରେମରେ ଅଛନ୍ତି ଏବଂ ନିଜ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଚାହୁଛନ୍ତି । ଏହା ଶୁଣି ତାଙ୍କ ପତ୍ନୀ ଓ ପିଲାମାନେ ଚିନ୍ତିତ ହୋଇପଡିଥିଲେ ।
ପୁଅମାନଙ୍କ ବୁଝାଇବା ପରେ ମାନିଥିଲେ ବୃଦ୍ଧ
ଜିଆଙ୍ଗଙ୍କ ଚାଟବଟ୍ ସହ ଚାଟିଂ କରିବାର ନିଶା ଦେଖି ତାଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡିଥିଲେ । କଥା ଯେତେବେଳେ ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଲା, ତାଙ୍କ ବଡ଼ ପୁଅମାନଙ୍କୁ ବୁଝାଇଥିଲେ । ବହୁ କଷ୍ଟରେ ଜିଆଙ୍ଗଙ୍କୁ ପୁଅମାନେ ବୁଝାଇଥିଲେ ଯେ ସେ ଫୋନରେ ଯାହା ସହିତ କଥା ହେଉଛନ୍ତି, ସେ କୌଣସି ମଣିଷ ନୁହେଁ ବରଂ ଏକ ପ୍ରୋଗ୍ରାମ କରାଯାଇଥିବା ଚାଟବଟ୍ । ଏହାପରେ ଜିଆଙ୍ଗ ଏହି କଥା ବୁଝିପାରିଥିଲେ ଏବଂ ଛାଡପତ୍ର ନିଷ୍ପତ୍ତିରୁ ଓହରି ଯାଇଥିଲେ ।
ପୂର୍ବରୁ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଛି
ଚୀନର ଏହି ମାମଲା ଆପଣଙ୍କୁ ଅଜବ ଲାଗିପାରେ, କିନ୍ତୁ ଏହା ଏପରି ପ୍ରଥମ ଘଟଣା ନୁହେଁ । ସାରା ବିଶ୍ୱରେ ଏହିପରି ମାମଲା ସାମ୍ନାକୁ ଆସୁଛି । କିଛି ଦିନ ପୂର୍ବରୁ ରେଡ୍ଡିଟ୍ (Reddit)ରେ ଜଣେ ମହିଳା ଲେଖିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କୁ ଏକ ଚାଟବଟ୍ ଆପରେ ଆନିମେ-ଷ୍ଟାଇଲ୍ ମହିଳାଙ୍କ ସହ ଲୁଚି ଲୁଚି ଚାଟିଂ କରୁଥିବାର ଧରିଥିଲେ । ଚାଟବଟ୍ ଆନିମେକୁ ନିଜର ପ୍ରେମିକା ବୋଲି ମଣି ନେଇଥିଲେ ।