କନକ ବ୍ୟୁରୋ : ଘୋଷଣା ହେଲା ଆଉ ଘୋଷଣା ହେବା ପରେ ମନରେ ଆଶା ସଂଚାର ହେଲା । କିନ୍ତୁ ସେହି ଆଶା ସବୁଦିନ ପାଇଁ ଆଶାରେ ରହିଗଲା । ବୟସର ଅପରାହ୍ନରେ ଭତ୍ତା ଗଣ୍ଡାକ ନପାଇ ନିରାଶ ହୋଇ ପଡିଛନ୍ତି ଅସହାୟ ବୃଦ୍ଧ ବୃଦ୍ଧା । ଗୋପବନ୍ଧୁନଗର ବ୍ଲକ ସାଇଁକୁଳା ପଞ୍ଚାୟତ ଅଧୀନରେ ବିଭିନ୍ନ ଗାଁରେ ୮୦ ବର୍ଷରୁ ଉର୍ଦ୍ଧ ବୃଦ୍ଧବୃଦ୍ଧା ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ରହିଛନ୍ତି । ଏ ହେଉଛନ୍ତି ଗୋପବନ୍ଧୁନଗର ବ୍ଲକ ସାଇଁକୁଳା ଗଡ଼ସାହିର ମନୋରମା ପତି । ବୟସ ୯୬ ଛୁଇଁଲାଣି । ଚାଲିବାକୁ ପାଦରେ ବଳ ନାହିଁ । ହେଲେ ସରକାରୀ ସହାୟତାରୁ ବଂଚିତ ରହିଛନ୍ତି । ସରକାରଙ୍କ ପକ୍ଷରୁ ପୂର୍ବରୁ ୧୨ ଶହ ଟଙ୍କା ଭତ୍ତା ପାଇ ଆସୁଥିବା ବେଳେ ଏବେ ସରକାର ୮୦ ବର୍ଷରୁ ଅଧିକ ବୃଦ୍ଧବୃଦ୍ଧାଙ୍କ ପାଇଁ ୩୫ଶହ ଟଙ୍କା ଭତ୍ତା ପ୍ରଦାନ କରାଯିବା କଥା । ହେଲେ ଆଜି ପର୍ଯ୍ୟନ୍ତ ସେ ବର୍ଦ୍ଧିତ ଭତ୍ତା ପାଇ ପାରି ନାହାନ୍ତି । ଯାହାକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ବି କୌଣସି ପ୍ରକାର ସମାଧାନ ହେଉନାହିଁ ।
ଭତ୍ତା ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଏବେ ଆଉ ଫାଙ୍କା ନାହିଁ । ଭତ୍ତା ଦେଇ ହେବନି କହି ମିଳୁଛି ଉତ୍ତର । ବାରମ୍ବାର ଆବେଦନ ପରେ ବି ଆଜି ପର୍ଯ୍ୟନ୍ତ ସେ ବର୍ଦ୍ଧିତ ଭତ୍ତା ମିଳୁନି । ସମସ୍ୟା ଜିଲ୍ଲାପାଳଙ୍କ ନିକଟରେ ବି ପହଂଚିଲାଣି । ହେଲେ ସରକାରୀ ବାବୁମାନେ ସଠିକ ଭାବେ ରିପୋର୍ଟ ପ୍ରଦାନ କରୁ ନଥିବାରୁ ଭତ୍ତା ମିଳି ପାରୁ ନଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ପୁଣିଥରେ ଅଭିଯୋଗ ପାଇବା ପରେ ଖୁବଶୀଘ୍ର ସମାଧାନ ନେଇ ମିଳିଛି ପ୍ରତିଶ୍ରୁତି ।
ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ବେଳେ ତାହା କାମରେ ଲାଗିପାରୁନି । ଏଥିପ୍ରତି ଗୁରୁତ୍ବ ଦିଆଯାଇ ଖୁବଶୀଘ୍ର ଭତ୍ତର ବ୍ୟବସ୍ଥା କରାଯିବା ଜରୁରୀ ହୋଇପଡିଛି ।