କନକ ବ୍ୟୁରୋ : ବର୍ଦ୍ଧିତ ଭତ୍ତା ଓ ଆବାସ ଘରରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ । ଏନେଇ ବାରମ୍ବାର ଅଭିଯୋଗ କଲେ ବି ଫଳ ଶୂନ । ରାଜ୍ୟ ସରକାର କି ଜିଲ୍ଲା ପ୍ରଶାସନ କେହି ବି ଶୁଣିବାକୁ ନାରାଜ । ବୟସର ଅପରାହ୍ନରେ ଅବହେଳିତ । ଭଙ୍ଗାରୁଜା ଝାଟିମାଟି ଘର ପାଲଟିଛି ଆଶ୍ରା । ଘରର ଅବସ୍ଥା ଏମିତି ଯେ କେତେବେଳେ କାନ୍ଥରୁ ମାଟି ପଡ଼ିଯିବ ତା’ର କିଛି ଠିକଣା ନାହିଁ । ଏହି ଭଙ୍ଗା କୁଡ଼ିଆରେ ବର୍ଷ ବର୍ଷ ଧରି ଜୀବନ କାଟୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପାଳି ଗାଁର ନକୁଳ ବେଦୀ ଓ ତାଙ୍କ ସ୍ତ୍ରୀ । ଦୁଇ ଜଣଙ୍କୁ ୮୦ ବର୍ଷ ଅତିକ୍ରମ କରିସାରିଲାଣି । ହେଲେ ଆଜି ଯାଏଁ ଏମାନଙ୍କୁ ଆବାସ ଯୋଜନାରେ ବି ଘର ଖଣ୍ଡିଏ ମିଳିନାହିଁ । ଏପରିକି ମିଳୁଥିବା ବର୍ଦ୍ଧିତ ଭତ୍ତା ବି କଣ ସେମାନଙ୍କୁ ଜଣାନାାହିଁ । ସରକାରୀ ବାବୁ ମାନଙ୍କ ପାଖରେ ଗୁହାରି କରି କରି ଥକି ଗଲେଣି ଏହି ବୃଦ୍ଧ ଦମ୍ପତି । ହେଲେ ସେମାନଙ୍କୁ ଦୁଃଖ ଶୁଣିବାକୁ ଯେମିତି କେହି ନାହିଁ ।
ଖାଲି ନକୁଳ କି ବେଦୀ ନୁହଁ, ଏମିତି ଅନେକ ବୃଦ୍ଧ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ମିଳୁନାହିଁ । ଅନେକ ଗରିବ ପରିବାରକୁ ଆବାସ ଘର ବି ମିଳୁନାହିଁ । ଆବାସ ଗୃହ ପାଇଁ ସର୍ଭେ ଚାଲିଛି ବୋଲି କହି ନିଜ ଆଡୁ ଦୋଷ ଛଡାଇନେଇଛନ୍ତି ବୀରମହାରାଜପୁର ବିଧାୟକ । ସରକାରଙ୍କ ନିୟମ ଅନୁସାରେ, ୮୦ ବର୍ଷରୁ ଅଧିକ ହେଲେ ୩୫୦୦ ଟଙ୍କା ଭତ୍ତା ମିଳୁଛି । ହେଲେ ଏହା ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି, ତାହା ଏକ ବଡ଼ ପ୍ରଶ୍ନ ।