କନକ ବ୍ୟୁରୋ : କାନାଡ଼ାର ଏକ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ୩ ଭାରତୀୟଙ୍କ ବିଚାର ଆରମ୍ଭ ହୋଇଛି। କ୍ରାଉନ୍ ପ୍ରସିକ୍ୟୁଟର ଡୋରୋଥି ସୁଇ କହିଛନ୍ତି, ଋଣବୋଝ, ଆର୍ଥିକ ଚାପ ତଥା ଲୋଭଗ୍ରସ୍ତ ହୋଇ ଅଭିଯୁକ୍ତମାନେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରିଥିଲେ । ଦମ୍ପତି ଆର୍ନାଲ୍ଡ ଓ ଜୋଆନ ଡେ ଜଙ୍ଗ୍ଙ୍କୁ ୨୦୨୨ ମେ ୯ ତାରିଖରେ ସେମାନଙ୍କ ଘରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ତିନି ଭାରତୀୟ ଗୁରକରନ ସିଂହ, ଅଭିଜିତ ସିଂହ ଓ ଖୁସବୀର ସିଂହ ତୁର ବୃଦ୍ଧ ଦମ୍ପତିଙ୍କ ଘରେ କାମ କରୁଥିବାବେଳେ ସେମାନଙ୍କୁ ହତ୍ୟା କରିବାକୁ ହତ୍ୟାକାଣ୍ଡର ମାସକ ପୂର୍ବରୁ ଯୋଜନା କରିଥିଲେ ବୋଲି କୁହାଯାଇଛି। ହତ୍ୟାକାଣ୍ଡ ପରେ ସେମାନେ ଦମ୍ପତିଙ୍କ କ୍ରେଡିଟ କାର୍ଡ଼, ଚେକ୍ ବୁକ୍ ଇତ୍ୟାଦି ନେଇଯାଇଥିଲେ। ଅଭିଜିତ ସିଂହ ଏକ କ୍ଲିନିଂ କମ୍ପାନି ଚଳାଉଥିଲେ, ଏହା ବୃଦ୍ଧ ଦମ୍ପତିଙ୍କ ଘରେ ଜୁଲାଇ ୨୦୨୧ରୁ ଏପ୍ରିଲ ୨୦୨୨ ପର୍ୟ୍ୟନ୍ତ କାର୍ୟ୍ୟ କରୁଥିଲା। ଗୁରକରନ ଓ ଖୁସବୀର ଦମ୍ପତିଙ୍କ ହତ୍ୟା ପରେ ସେମାନଙ୍କ ୫୦୦୦ ଡଲାର ଚେକ୍ ବ୍ୟାଙ୍କ ଡିପୋଜିଟ୍ କରିଥିଲେ। ହତ୍ୟାକାଣ୍ଡ ଘଟଣାର ମାସେରୁ କମ୍ ସମୟ ଭିତରେ ଗୁରକରନ କାନାଡାକୁ ଛାତ୍ର ଭିସାରେ ଆସିଥିଲେ। ହତ୍ୟାକାଣ୍ଡ ପରେ ୩ ଅଭିଯୁକ୍ତ ବ୍ରିଟିଶ କଲମ୍ବିଆ ଛାଡ଼ି ସରେ ଚାଲି ଯାଇଥିଲେ। ସେଠାରେ ୨୦୨୨ରେ ଗିରଫ ହେବା ପର୍ଯ୍ୟନ୍ତ ରହିଥିଲେ । ଏହି ମାମଲାରେ ସୋମବାରଠାରୁ ଆରମ୍ଭ ହୋଇଥିବା ବିଚାର ପ୍ରକ୍ରିୟା ୪୦ ଦିନ ଧରି ଚାଲିବ। ଏଥିନେଇ ୨୪ ଜଣ ସାକ୍ଷୀଙ୍କ ବୟାନ ଗ୍ରହଣ କରାଯିବ।
କାନାଡ଼ାରେ ବୃଦ୍ଧ ଦମ୍ପତିଙ୍କ ହତ୍ୟା, ୩ ଭାରତୀୟ ଅଭିଯୁକ୍ତ ବିଚାର ଆରମ୍ଭ
Advertisment
Follow Us