କନକ ବ୍ୟୁରୋ: ମା’ର ମମତାର ପ୍ରତିଦାନ ଯେବେ ନିର୍ଯାତନାର ରୂପ ନିଏ, ସେତେବେଳେ ଦୁନିଆର ସବୁ ସମ୍ପର୍କ ତୁଚ୍ଛ ହୋଇଯାଏ । ପୁଅବୋହୂଙ୍କ ନିର୍ଯାତନା ଏତେ ଅସହ୍ୟ ହେଲା ଯେ, ଘରୁ ଗୋଡ଼ କାଢିବାକୁ ବାଧ୍ୟ ହେଲେ ବୃଦ୍ଧ ଦମ୍ପତି । ପୁଅ ବୋହୁର ପ୍ରବଳ ଅତ୍ୟାଚାର ପରେ ନିଜ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଧରି ନ୍ୟାୟ ପାଇଁ ଥାନାରେ ପହଞ୍ଚିଛନ୍ତି ଦମ୍ପତି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ଥାନ ବିଋତୁଙ୍ଗ ପଞ୍ଚାୟତ ଗଡ଼ କରମଳା ଗାଁରେ । ବୃଦ୍ଧ ଦମ୍ପତି ଅର୍ଜୁନ ବେହେରା ଓ ମନୋରମା ବେହେରା ନିଜ ଘର ଛାଡ଼ି ଥାନାରେ ପହଞ୍ଚିଛନ୍ତି । ଦୁଇ ପୁଅ ବୋହୁ ଥାଇ ମଧ୍ୟ ଅସହାୟ ହୋଇ ପଡ଼ିଛନ୍ତି ଏହି ଦମ୍ପତି । ଏପରିକି ଖାଇବାକୁ ନଦେବା, ମାଡ଼ ମାରିବା ଭଳି ଅଭିଯୋଗ ପୁଅବୋହୁଙ୍କ ନାଁରେ ଆଣିଛନ୍ତି । ନିଜର କୋହକୁ ସମ୍ଭାଳି ନପାରି କାନ୍ଦି କାନ୍ଦି ଦୁଃଖ ବଖାଣିଛନ୍ତି । ଆଜି ଏମିତି ହେଲା ଯେ, ପରିଣତ ବୟସରେ ବୃଦ୍ଧ ଦମ୍ପତି ମୁଣ୍ଡରେ ଟ୍ରଙ୍କ ଓ ହାତରେ ଦୁଇଟି ବ୍ୟାଗକୁ ଧରି ପ୍ରାୟ ୧୫ କିଲୋମିଟର ବାଟ ଚାଲିଚାଲି ଗୋପ ଥାନାରେ ପହଞ୍ଚିଛନ୍ତି । ଆଉ ଯାହାକୁ ଅନ୍ତଫାଡ଼ି ଜନ୍ମ ଦେଇଥିଲା ମାଆ ତା ବିରୋଧରେ ଅଭିଯୋଗ କରିବାକୁ ପଡ଼ିଛି । ଯେଉଁ ଘରେ ପୁଅ ପାଇଁ ଷଷ୍ଠିଘର କରିଥିଲେ, ପୁଅର ଲାଳନ ପାଳନ କରିଥିଲେ, ସେଇ ଘରକୁ ଆଉ ଫେରିବେ ନାହିଁ ବୋଲି କହୁଛନ୍ତି । ଯେଉଁ ଘରେ ତାଙ୍କ ସ୍ୱପ୍ନ ସମାଧି ନେଇ ଯାଇଛି, ସେଠାକୁ ଆଉ ଯିବାକୁ ମନ ବଳାଉନାହାନ୍ତି । କାରଣ ସେଠାରେ ଜୀବନକୁ ବଳିପଡୁଛି ଯନ୍ତ୍ରଣା । ତେଣୁ ଗଛ ତଳେ ରହିବୁ ପଛେ ଆଉ ସେ ଘରକୁ ଯିବୁନି ବୋଲି କହିଛନ୍ତି ଅସହାୟ ଦମ୍ପତି ।
ଅସହ୍ୟ ହେଲା ନିର୍ଯାତନା, ପଚାରୁ ନାହାନ୍ତି ପୁଅବୋହୂ । ପରିଣତ ବୟସରେ ଘର ଛାଡ଼ିଲେ ବୃଦ୍ଧ ଦମ୍ପତି ।
ଟ୍ରଙ୍କ ମୁଣ୍ଡାଇ ବ୍ୟାଗ ଧରି ଗୋପ ଥାନାରେ ପହଞ୍ଚିଲେ ଗଡ଼ କରମଳା ଗାଁର ବୃଦ୍ଧ ଦମ୍ପତି । ଯେଉଁ ଘରେ ପୁଅ ପାଇଁ ଷଷ୍ଠିଘର କରିଥିଲେ, ପୁଅର ଲାଳନ ପାଳନ କରିଥିଲେ, ସେଇ ଘରକୁ ଆଉ ଫେରିବେ ନାହିଁ ବୋଲି କହୁଛନ୍ତି । ଯେଉଁ ଘରେ ତାଙ୍କ ସ୍ୱପ୍ନ ସମାଧି ନେଇ ଯାଇଛି, ସେଠାକୁ ଆଉ ଯିବାକୁ ମନ ବଳାଉନାହାନ୍ତି ।