କନକ ବ୍ୟୁରୋ: ବୟସର ଅପରାହ୍ଣରେ ନିଃସଙ୍ଗ ଜୀବନ । ପାଖରେ ନାହାନ୍ତି ଆତ୍ମୀୟ ସ୍ବଜନ । ଆଜି ବଦଳି ଯାଇଛି ପରିବାରର ସଂଜ୍ଞା । ଚିନ୍ତା ବଢ଼ାଇଛି କ୍ଷୁଦ୍ର ପରିବାର । ଛୋଟ ପରିବାରରେ ପ୍ରତି ଚାରିଜଣରେ ଜଣେ ବରିଷ୍ଠ ନାଗରିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୟସ୍କଙ୍କୁ ବୃଦ୍ଧାଶ୍ରମରେ ରହିବାକୁ ପଡୁଛି । ତେବେ ଯୌଥ ପରିବାରରେ ଏଭଳି ଘଟଣା କମ୍ ।
ଗୀତାରାଣୀଙ୍କ ଘର ଭୁବନେଶ୍ୱର । ପୁଅ ରେଳ ବିଭାଗରେ ଚାକିରି କରିଛି । କିନ୍ତୁ ଗତ କିଛି ମାସ ହେଲା ପୁଅ ବୃଦ୍ଧାଙ୍କୁ ଛାଡ଼ି ଦେଇଯାଇଛି । ପ୍ରାୟ ଦେଢ଼ ମାସ ହେଲା ଦେଖିବାକୁ ଆସୁନି କି ଫୋନ୍ ଉଠାଉନି । ସେହିପରି ଭୀମ ଗୌଡ଼ଙ୍କ ଘର ଗଞ୍ଜାମ ଜିଲ୍ଲାରେ । ସ୍ତ୍ରୀ ଓ ବଡ଼ପୁଅଙ୍କ ମୃତ୍ୟୁ ହୋଇସାରିଛି । ସାନପୁଅ ବାପାଙ୍କୁ ନପଚାରିବାରୁ ଭୀମଙ୍କ ଠିକଣା ସାଜିଛି ଏକ ଵୃଦ୍ଧାଶ୍ରମ । ଠିକ୍ ସେହିଭଳି କାଞ୍ଚନ ନାୟକଙ୍କ ଘର ମଧ୍ୟ ଗଞ୍ଜାମ ଜିଲ୍ଲାରେ । ନିଜର ପିଲାନଥିବାରୁ ପୁତୁରାକୁ ପୁଅ କରିଥିଲେ । କିନ୍ତୁ ବିବାହ ପରେ ମାଆଙ୍କୁ ଆଉ ପଚାରିଲାନି ପୋଷ୍ୟ ପୁଅ । ଏବେ ତାଙ୍କ ଠିକଣା ବି ଵୃଦ୍ଧାଶ୍ରମ । ଏ ସମସ୍ତଙ୍କ ମନରେ ଭରି ରହିଛି ଅକୁହା ବେଦନା ।
ବରିଷ୍ଠ ନାଗରିକ ନିର୍ଯାତନାର ଶିକାର ହେଉଛନ୍ତି । ସମସ୍ତେ ଥାଇ ବି ଏମାନେ ପାଲଟି ଯାଇଛନ୍ତି ଅଲୋଡ଼ା । ଭୁବନେଶ୍ବରରେ ଏ ସ୍ଥିତି ଚରମ ସୀମାରେ ପହଞ୍ଚିଛି । ଏକ ସର୍ଭେରୁ ଜଣାପଡ଼ିଛି ଯେ, ରାଜଧାନୀରେ ପ୍ରତି ୧୦୦ ବରିଷ୍ଠ ନାଗରିକଙ୍କ ମଧ୍ୟରୁ ୩୫ ଜଣ ନିଜ ପରିବାରରେ ନିର୍ଯାତନାର ଶିକାର ହେଉଛନ୍ତି । ତେବେ ଯୌଥ ପରିବାରରେ ଏଭଳି ଘଟଣା କମ୍ । କ୍ଷୁଦ୍ର ପରିବାରରେ ଅଧିକ । କାରଣ, କ୍ଷୁଦ୍ର ପରିବାର ହୋଇଥିବାରୁ ବୟସ୍କଙ୍କ ଯତ୍ନ ନେବାରେ ଅସୁବିଧା ଉପୁଜୁଛି ।
ବୟସ୍କଙ୍କ ପ୍ରତି ଅବହେଳାର କାରଣ ଅର୍ଥାଭାବ ନୁହେଁ, ବରଂ ପରିବର୍ତ୍ତିତ ମାନସିକତା । ଶିକ୍ଷିତ ସମାଜ ସଚେତନ ନହେଲେ, ମାନସିକତା ନବଦଳିଲେ ଓ ନିଜ ଭବିଷ୍ୟତ କଥା ଚିନ୍ତା ନକଲେ, ଆଗକୁ ଏଭଳି ସମସ୍ୟା ବଢ଼ିବ ସିନା କମିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/06/15/KTu7mzE4iX0rlregOLHX.jpg)