କନକ ବ୍ୟୁରୋ : ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୁମ୍ବାଇ ମହାନଗର ନିଗମ ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି। ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ମୁମ୍ବାଇର ପରବର୍ତ୍ତୀ ମେୟର ଜଣେ 'ଶିବସୈନିକ' ହେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଜେପି ସହ ମହାୟୁତି ମେଣ୍ଟରେ ଥାଇ ମଧ୍ୟ ସିନ୍ଦେଙ୍କ ଏହି ଆଭିମୁଖ୍ୟ ଆଗାମୀ ନିର୍ବାଚନ ପାଇଁ ରଣନୀତିକ ଗୁରୁତ୍ୱ ବହନ କରୁଛି। ଏକନାଥ କହିଛନ୍ତି, ବାଲାସାହେବଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଶିବସେନା ସର୍ବଦା ପ୍ରତିବଦ୍ଧ ଏବଂ ମୁମ୍ବାଇର ବିକାଶ ପାଇଁ ମହାୟୁତି ସରକାର ଦୃଢ଼ ଭାବେ କାର୍ଯ୍ୟ କରୁଛି।
ଆହୁରି ପଢନ୍ତୁ : ମହାରାଷ୍ଟ୍ରରେ ବିଜେପିର ବଡ଼ ବିଜୟ ଉପରେ ମୋଦୀ କହିଲେ ସାରା ଦେଶରେ ଭୋଟରଙ୍କ ପ୍ରଥମ ପସନ୍ଦ ହେଉଛି ବିଜେପି
ଏହି ଘୋଷଣା ମାଧ୍ୟମରେ ସିନ୍ଦେ କେବଳ ନିଜ ଦଳର କର୍ମୀଙ୍କୁ ଉତ୍ସାହିତ କରିନାହାଁନ୍ତି, ବରଂ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ମଧ୍ୟ ଏକ ଶକ୍ତ ବାର୍ତ୍ତା ଦେଇଛନ୍ତି। ବାଲାସାହେବ ଠାକରେଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏକନାଥ ସିନ୍ଦେଙ୍କ ଘୋଷଣା ଅନୁଯାୟୀ, ମୁମ୍ବାଇର ପରବର୍ତ୍ତୀ ମେୟର ନିଶ୍ଚିତ ଭାବେ ଶିବସେନାରୁ ହିଁ ହେବେ। ମୁମ୍ବାଇ ବିକାଶ ପାଇଁ ସରକାର ବିଶେଷ ପ୍ୟାକେଜ୍ ଏବଂ ଭିତ୍ତିଭୂମି ପ୍ରକଳ୍ପ ଉପରେ ଗୁରୁତ୍ୱ ଦେଉଛନ୍ତି । ବାଲାସାହେବଙ୍କ ବିଚାରଧାରାକୁ ଆଗକୁ ନେବା ପାଇଁ ସିନ୍ଦେ ନିଜକୁ ପ୍ରକୃତ ଉତ୍ତରାଧିକାରୀ ଭାବେ ଉପସ୍ଥାପନ କରୁଛନ୍ତି। ଉଦ୍ଧବ ଗୋଷ୍ଠୀର ଗଡ଼ ଭାଙ୍ଗିବା ପାଇଁ ମହାୟୁତି ମେଣ୍ଟ ‘ମିସନ ମୁମ୍ବାଇ’ ଭାବେ କାର୍ଯ୍ୟ କରୁଛି।
Follow Us