କନକ ବ୍ୟୁରୋ: ଓଡ଼ିଶାରେ ଅଣ୍ଡା ଉତ୍ପାଦନ ରାଜ୍ୟର ଆବଶ୍ୟକତାକୁ ପୂରଣ କରି ପାରୁନଥିବା ବେଳେ ଦରବୃଦ୍ଧି ସରକାରଙ୍କ ପୋଷଣ ଅଭିଯାନରେ କଣ୍ଟା ସାଜିଛି। ଖୋଲା ବଜାରରେ ଦର ଉଚ୍ଚା ରହୁଥିବାରୁ ଶିଶୁ ଓ ପ୍ରସୂତିଙ୍କୁ ଧାର୍ଯ୍ୟ ଅଣ୍ଡା ଦେବାରେ ବିଫଳ ହେଉଛନ୍ତି ଅଙ୍ଗନବାଡି କର୍ମୀ । ସରକାର ଅଣ୍ଡା ଦର ବୃଦ୍ଧି କରିଛନ୍ତି ସତ କିନ୍ତୁ ଆବଶ୍ୟକତା ପୂରା କରିବାରେ ଏହି ଅର୍ଥ ପର୍ଯ୍ୟାପ୍ତ ନୁହେଁ।
ଆବଶ୍ୟକତା ଅଧିକ, ଉତ୍ପାଦନ କମ। ତା ସାଙ୍ଗକୁ ମହଙ୍ଗା ମାଡ। ଯାହାର ପ୍ରଭାବ ବାଲେଶ୍ବର ବସ୍ତାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଦେଖିବାକୁ ମିଳିଛି। ଶିଶୁଙ୍କୁ ଧାର୍ଯ୍ୟ ପରିମାଣରୁ ୨ରୁ ୩ଟି ଲେଖାଏଁ ଅଣ୍ଡା କମ ମିଳୁଛି। କାରଣ ଅଣ୍ଡା ପିଛା ସରକାର ଆବଣ୍ଟିତ କରିଥିବା ଅର୍ଥ ତୁଳନାରେ ବଜାର ଦର ଉଚ୍ଚା ରହୁଛି। ତେଣୁ ଧାର୍ଯ୍ୟ ପରିମାଣର ଅଣ୍ଡା ପାଇବାରୁ ବଞ୍ଚିତ ହେଉଛନ୍ତି ଶିଶୁଙ୍କ ଠାରୁ ଗର୍ଭବତୀ। ରାଜ୍ୟରେ ଅଣ୍ଡା ଦର ବୃଦ୍ଧି ସିଧାସଳଖ ସରକାରଙ୍କ ପୋଷଣ ଅଭିଯାନରେ ବଡ ବାଧକ ସାଜିଛି। ଅଣ୍ଡାର ବଜାର ଦରବୃଦ୍ଧି ପାଇଁ ଗାଁ ଗାଁରେ ସରକାରୀ ଗାଇଡଲାଇନରେ ହେଉଛି ଅଘୋଷିତ କାଣ୍ଟଛାଣ୍ଟ।
ବର୍ଷ ବର୍ଷର ଦାବି ପରେ ଅଙ୍ଗନବାଡି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡାର ମୂଲ୍ୟ ବୃଦ୍ଧି କରିଛନ୍ତି ସରକାର। ୫ ଟଙ୍କା ଥିବା ଅଣ୍ଡାର ମୂଲ୍ୟକୁ ୭ ଟଙ୍କା କରିଛନ୍ତି ସରକାର। ଏହାଦ୍ବାରା ଶିଶୁ ଓ ଗର୍ଭବତୀ ଧାର୍ଯ୍ୟ ଅଣ୍ଡା ପାଇବାରୁ ଆଉ ବଞ୍ଚିତ ହେବେନି। ସେହିଭଳି ମଧ୍ୟାହ୍ନଭୋଜନ ମୂଲ୍ୟରେ ବୃଦ୍ଧି ହୋଇଥିବାରୁ ସ୍କୁଲ ପିଲାଙ୍କୁ ମଧ୍ୟ ଆବଶ୍ୟକୀୟ ଅଣ୍ଡା ମିଳିପାରିବ। ନୂଆ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଯାଜପୁରର ଅନେକ ହିତାଧିକାରୀ ଓ ସ୍କୁଲ ଗୁଡିକ ପକ୍ଷରୁ ସ୍ବାଗତ କରାଯାଇଛି।
ଅଙ୍ଗନବାଡି ସ୍ତରରେ ସରକାର ଅଣ୍ଡା ପିଛା ମୂଲ୍ୟ ୨ ଟଙ୍କା ବୃଦ୍ଧି କରିଛନ୍ତି ସତ କିନ୍ତୁ ବଜାର ଦର ଠାରୁ ଏହା ଏବେ ବି କମ। ମହଙ୍ଗା ମାଡରେ ସଭିଏଁ ଜଡସଡ। ତେଣୁ ସରକାରୀ ଅର୍ଥରେ ନିର୍ଦ୍ଧାରିତ ସଂଖ୍ୟକ ଅଣ୍ଡା ପ୍ରଦାନ କରିବା ଏବେ ବି ଚ୍ୟାଲେଞ୍ଜ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)