Education Photograph: (KanakNews)
କନକ ବ୍ୟୁରୋ : ଶିକ୍ଷା ଏକ ସଭ୍ୟ ସମାଜ ଗଠନର ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ହେଲେ ଆମ ରାଜ୍ୟରେ ଏହା ଆଜି ପର୍ଯ୍ୟନ୍ତ ବ୍ୟବସ୍ଥିତ ହୋଇପାରିନାହିଁ । ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା ବ୍ୟବସ୍ଥା। ବିଭିନ୍ନ ସ୍ଥାନରୁ ଆସୁଥିବା ଖବର ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଚିତ୍ରକୁ ଦର୍ଶାଉଛି । ଅଧାରୁ ଅଧିକ ବିଦ୍ୟାଳୟରେ ନାହାନ୍ତି ଶିକ୍ଷକ । ଆଠ ଆଠଟି ଶ୍ରେଣୀର ପିଲାଙ୍କୁ ପଢ଼ାଇବାକୁ ୨ କି ୩ ଜଣ ଶିକ୍ଷକ ରହୁଛନ୍ତି । ଅନେକ ସ୍ଥାନରେ ସ୍ଥାୟୀ ଶିକ୍ଷକ ନାହାନ୍ତି । ହେଲେ ଶିକ୍ଷା ବିଭାଗ ଏସବୁ ଦିଗରେ ପଦକ୍ଷେପ ଗ୍ରହଣ କରିବାର ଦେଖିବାକୁ ମିଳୁନାହିଁ । ଫଳରେ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି ।
ସେପଟେ ସ୍କୁଲ ବୁଲିଲେ ଜିଲ୍ଲାପାଳ, ପିଲାଙ୍କୁ ପାଠ ପଚାରିଲେ । ଅଷ୍ଟମ ଶ୍ରେଣୀ ପିଲା ଉତ୍ତର ଦେଇ ନପାରିବାରୁ କ୍ଷୁବ୍ଧ ହେଲେ । କାହିଁକି ପିଲା ପଢ଼ିପାରୁନାହାନ୍ତି ବୋଲି ଜିଲ୍ଲାପାଳଙ୍କ ସନ୍ଦେହ ହେଲା । କିନ୍ତୁ ଏ କାହାଣୀ ଏଇଠି ଆରମ୍ଭ ହୋଇ ଏଇଠି ସରିଗଲା । ନା ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକଙ୍କୁ ପଚାରିଲେ, ନା ଜିଲ୍ଲା ଶିକ୍ଷାଧିକାରୀଙ୍କୁ ରିପୋର୍ଟ ମାଗିଲେ । କେବଳ ସ୍କୁଲ ବୁଲା ପର୍ବ ସାରି ପୁଣି ଅନ୍ୟ କାମରେ ବ୍ୟସ୍ତ ରହିଗଲେ ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ । ସେପଟେ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ଏସଂପର୍କରେ ସେ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ । ତାଙ୍କୁ କୌଣସି ରିପୋର୍ଟ ମଗାଯାଇନଥିବା ସେ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ।
ବ୍ୟବସ୍ଥାରେ ସୁଧାର ଆଣିବାକୁ ଜିଲ୍ଲାପାଳ କି ପଦକ୍ଷେପ ନେଲେ?
ପିଲାଙ୍କୁ ପ୍ରଶ୍ନ ପଚାରି ଦାୟିତ୍ୱ ସାରିଦେଲେ କି?
ଶିକ୍ଷାର ମାନ ବଢ଼ାଇବାକୁ ପ୍ରାଶାସନିକ ସ୍ତରରେ କ’ଣ କରାଯାଉଛି?
ଶିକ୍ଷକଙ୍କ କାନ୍ଧରୁ ଅନ୍ୟ ଚାପ କମାଯିବ କି?
କେବଳ ପାଠପଢ଼ାରେ ଧ୍ୟାନ ଦେବାର ବ୍ୟବସ୍ଥା କରିବେ କି ସରକାର?
କେନ୍ଦ୍ରାପଡ଼ା ଜିଲ୍ଲାର ତଥ୍ୟ ରୋଚକ :
ଜିଲ୍ଲାର ୭୦ ସ୍କୁଲରେ ଜଣେ ମାତ୍ର ଶିକ୍ଷକ
୨୭ ସ୍କୁଲରେ ନାହାନ୍ତି ଶିକ୍ଷକ
ଡେପୁଟେସନ୍ରେ ଆସୁଥିବା ଶିକ୍ଷକଙ୍କ ଦ୍ୱାରା ଚାଲିଛି ପାଠପଢ଼ା
କେବଳ କେନ୍ଦ୍ରାପଡ଼ା ବ୍ଲକର ୯ଟି ସ୍କୁଲରେ ଅଛନ୍ତି ମାତ୍ର ଜଣେ ଲେଖାଏଁ ଶିକ୍ଷକ
୭ଟି ସ୍କୁଲରେ ଆବଶ୍ୟକତାଠୁ ଅଧିକ ଶିକ୍ଷକ
ସାନମାଣତିଆ ସ୍କୁଲରେ ଆଗରୁ ଥିଲେ ୨ ଜଣ ଶିକ୍ଷକ
ଜଣଙ୍କୁ ଗୁଲ୍ନଗର ସ୍କୁଲକୁ ବଦଳି କରାଗଲା
ରୋଚକ କଥା ହେଲା, ସେଠାରେ ଆଗରୁ ଥିଲେ ୭ ଜଣ
ଆଉ ଜଣେ ମିଶି ହେଲେ ୮ ଶିକ୍ଷକ
ବଡ଼ହାଟ ପ୍ରାଥମିକ ବିଦ୍ୟାଳୟରେ ଥିଲେ ୨ ଜଣ ଶିକ୍ଷକ, ୩ ଜଣ ପିଲା
ପରେ ଆସିଲେ ଆଉ ଜଣେ ଶିକ୍ଷକ
ପିଲା ୩ କୁ ଶିକ୍ଷକ ୩
ଯଦି ୩ ଶିକ୍ଷକଙ୍କ ଦରମାକୁ ହିସାବକୁ ନିଆଯାଏ ତେବେ ପିଲାପିଛା ମାସକୁ ଖର୍ଚ୍ଚ ୪୦ ହଜାର ଟଙ୍କା
Follow Us