କନକ ବ୍ୟୁରୋ: ପୁଅ ଭଲ ପଢୁଛି .. ଏବେ ସେ ଉଚ୍ଚ ଶିକ୍ଷା କରିବା ପାଇଁ ଆଗ୍ରହ ପ୍ରକାଶ କରୁଛି.. ହେଲେ ବାପା ପାଖରେ ଟଙ୍କା ନାହିଁ ପୁଅକୁ ହାଇୟର ଷ୍ଟଡି ଦେବା ପାଇଁ । ପାଠ ପଢିବା ପାଇଁ ବାଧକ ସାଜୁଛି ଟଙ୍କା । ଏହିପରି ଭାବେ ଗୋଟିଏ ମେଧାବୀ ଛାତ୍ର ଦାରିଦ୍ରତାର କସାଘାତରେ ପଡ଼ି ତାର ଭବିଷ୍ୟତକୁ ଜଳାଞ୍ଜଳି ଦେବାକୁ ବାଧ୍ୟ ହୋଇଥାଏ । ଆଉ ତାର ହାୟର ଷ୍ଟଡି ସ୍ୱପ୍ନ ଅଧୁରା ରହିଯାଏ । କିନ୍ତୁ ଏବେ ଆଉ ସମେତି ହେବ ନାହିଁ । ହାୟର ଷ୍ଟଡି କରିବାର ସ୍ୱପ୍ନ ହେବ ସତ । ହଁ ଆଜ୍ଞା ଅର୍ଥର ଅଭାବ ଥିଲେ ଏଣିକି ଦେଶର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିବ ନାହିଁ । କାରଣ କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ‘ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା’ ଆରମ୍ଭ କରିଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାକୁ ଅନୁମୋଦନ କରିଛି । ଏହା ମାଧ୍ୟମରେ ବାର୍ଷିକ ଦେଶର ପାଖାପାଖି ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ଲାଭ । ଉଚ୍ଚ ଶିକ୍ଷା ପାଇଁ ଅର୍ଥର ସମସ୍ୟା ଆଉ ରହିବ ନାହିଁ ।
ସରକାରୀ ବିଜ୍ଞପ୍ତି ଅନୁସାରେ, ଦେଶର ଶ୍ରେଷ୍ଠ ୮୬୦ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଡମିଶନ ନେଇଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଏଜୁକେସନ ଋଣ ଦିଆଯିବ, ଯାହା ଦ୍ୱାରା ବାର୍ଷିକ ୨୨ ଲକ୍ଷରୁ ଅଧିକ ପିଲା ଲାଭାନ୍ଵିତ ହେବେ । ଋଣ ପାଇଁ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଆବେଦନ କରିବାକୁ ହେବ । ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ କୌଣସି ବି ଗ୍ୟାରେଣ୍ଟରର ଆବଶ୍ୟକତା ପଡ଼ିବ ନାହିଁ । ଖାଲସେତିକି ନୁହେଁ ଋଣ ସୁଧରେ ମଧ୍ୟ ସବସିଡି ମିଳିବ । ସରକାରଙ୍କ ନିଷ୍ପତ୍ତି ଅନୁସାରେ, ୩% ସୁଧ ଛାଡ଼ ସହିତ ଛାତ୍ରଛାତ୍ରୀମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବେ ।
ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ପାଇଁ ଯୋଗ୍ୟତା
ଯେଉଁ ପରିବାରର ମୋଟ ଆୟ ୮ ଲକ୍ଷ ଟଙ୍କା କିମ୍ବା ଏହାଠାରୁ କମ୍, ସେହି ପରିବାରକୁ ଋଣ ପ୍ରଦାନ କରାଯିବ । ପ୍ରତିବର୍ଷ ଏକ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନାରୁ ଲୋନ ଦିଆଯିବ । କ୍ୟାବିନେଟ୍ ମିଟିଙ୍ଗରେ ନିଆଯାଇଥିବା ଏହି ନିଷ୍ପତ୍ତି ସୂଚନା ଦେଇଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
କେମିତି କରିବେ ଆବେଦନ
ପିଏମ ବିଦ୍ୟାଲକ୍ଷ୍ମୀ ଯୋଜନା ପାଇଁ ଆପଣଙ୍କୁ ଅନଲାଇନ ଆବେଦନ କରିବାକୁ ପଡ଼ିବ । ଏଥିପାଇଁ ବିଦ୍ୟାଲକ୍ଷ୍ମୀ ପୋର୍ଟାଲ https://www.vidyalakshmi.co.in/ କୁ ଯାଇ ଆବେଦନ କରିପାରିବେ ।