କନକ ବ୍ୟୁରୋ : ପିଲାଙ୍କ ଭବିଷ୍ୟତ ସହ ଖେଳୁଛି ଶିକ୍ଷା ବିଭାଗ । ବିଦ୍ୟାଳୟରେ ପଢ଼ାଇବାକୁ ଆବଶ୍ୟକ ଶିକ୍ଷକ ନାହାନ୍ତି । ଶିକ୍ଷକଙ୍କ ପୁଅ ଆସି ପାଠ ପଢ଼ାଉଛନ୍ତି । ପିଲାଙ୍କୁ ପାଠ ପଢ଼ାଉଥିବା ଯୁବକ ଜଣକ ଶିକ୍ଷକ ନୁହନ୍ତି । ପ୍ରଧାନଶିକ୍ଷକଙ୍କ ପୁଅ। ବାପା ଦରମା ପାଉଛନ୍ତି, ପୁଅ ପାଠ ପଢ଼ାଉଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତର ପନ୍ଦରଶିଳା ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀକୁ ପଢ଼ାଇବାକୁ ଅଛନ୍ତି ଜଣେ ପ୍ରଧାନଶିକ୍ଷକ ସମୀର ଦାସ । ୩ ମାସ ହେବ ତାଙ୍କ ଦେହ ଖରାପ ଥିବାରୁ ପୁଅ ସତ୍ୟନାରାୟଣ ଆସି ପାଠ ପଢ଼ାଉଛନ୍ତି । ଶିକ୍ଷା ବିଭାଗର ବିନା ଟ୍ରେନିଂରେ ଗଣିତ ପଢ଼ାଉଛନ୍ତି । ଅନ୍ୟ ବିଷୟର ଏଯାଏଁ ବହି ବି ଖୋଲାଯାଇନାହିଁ ।
ବିଦ୍ୟାଳୟରେ ପୂର୍ବରୁ ଥିଲେ ୮ ଜଣ ଶିକ୍ଷକ । ଏବେ ଅଛନ୍ତି ମାତ୍ର ଜଣେ । ଯେଉଁଦିନ ପ୍ରଧାନ ଶିକ୍ଷକ କି ତାଙ୍କ ପୁଅ ନଆସନ୍ତି, ସେଦିନ ଅବସରପ୍ରାପ୍ତ ଶିକ୍ଷକ ଭରସା । ସେପଟେ ଅନ୍ୟପଟେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
୧୯୮୭ରେ ସ୍ଥାପିତ ଏହି ବିଦ୍ୟାଳୟଟି ପଞ୍ଚାୟତର ଏକମାତ୍ର ଉଚ୍ଚ ବିଦ୍ୟାଳୟ । ଏଠାରେ ନବମ ଓ ଦଶମରେ ୭୦ରୁ ଅଧିକ ପିଲା ପଢ଼ୁଛନ୍ତି । ତେଣୁ ତୁରନ୍ତ ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଅଭିଭାବକ ।