କନକବ୍ୟୁରୋ: ଦୁର୍ନୀତିଖୋର ସରକାରୀ ବାବୁଙ୍କ ଘରେ ପଶିବ ଇଡି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ‌ରେ ଭିଜିଲାନ୍‌ସ ଜାଲରେ ଛନ୍ଦି ହୋଇଥିବା ଚର୍ଚ୍ଚିତ ୧୨ କୋଟିପତି ସରକାରୀ ବାବୁଙ୍କ ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଛି । ଇଡି ସେସବୁ ମାମଲାର ଖୋଳତାଡ଼ କରିବ। ଏଥିପାଇଁ ଭିଜିଲାନ୍‌ସ ପକ୍ଷରୁ ସମସ୍ତ ଦସ୍ତାବିଜ ଇଡିକୁ ହସ୍ତାନ୍ତର ହୋଇସାରିଛି ।

Advertisment

୨୦୨୩ରୁ ୨୦୨୪ ମସିହା ମଧ୍ୟରେ ଭିଜିଲାନ୍‌ସ ପଞ୍ଝାରେ ଫସି ଜେଲ୍‌ ଯାଇଥିବା ଏବଂ ନିଲମ୍ବିତ ହୋଇଥିବା ୧୨ଜଣ କଳାଧନର ମାଲିକଙ୍କ ନାଁ ପ୍ରକାଶ କରାଯାଇନାହିଁ। କିନ୍ତୁ ଖୁବ୍‌ ଶୀଘ୍ର ପ୍ରିଭେନ୍‌ସନ୍‌ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ସେମାନଙ୍କୁ ସମନ କରାଯିବ । ଏହି ଖବର ଜଣାପଡ଼ିବା ପରେ ଏବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛନ୍ଦି ହୋଇଥିବା ସରକାରୀ ବାବୁମାନଙ୍କ ଛାତିରେ ଛନକା ପଶିଛି । ଭିଜିଲାନ୍‌ସ ମାମଲା ସହିତ ସେମାନଙ୍କୁ ପୁଣି ଇଡି ମାମଲାର ସମ୍ମୁଖୀନ ହେବାକୁ ପଡ଼ିବ । 

କୋଟିପତି ବାବୁମାନେ ଭିଜିଲାନ୍‌ସ ହାତରେ ଧରାପଡ଼ିବା ପରେ ଜେଲ୍‌ ହାଜତକୁ ଯାଇଥିଲେ । ଏବେ ଭିଜିଲାନ୍‌ସ କୋର୍ଟରେ ମାମଲା ଚାଲିଛି । ଅନ୍ୟପଟେ କଳାଧନ ସମ୍ପର୍କିତ ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତ ଏହାକୁ ମଧ୍ୟ ଗୁରୁତ୍ବର ସହ ନେଇଥିଲେ । ଅଗଷ୍ଟ ୨୮ରେ କଟକରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଭିଜିଲାନ୍‌ସ ପକ୍ଷରୁ ୧୨ଟି ଚର୍ଚ୍ଚିତ ପ୍ରସଙ୍ଗ ଉଠିଥିଲା ।

ତଦନ୍ତକାରୀ ଏଜେନ୍‌ସି ଦୁର୍ନୀତି ମାମଲାର ଅଧିକ ଖୋଳତାଡ଼ ପାଇଁ ଇଡି ଓ ଆୟକର ବିଭାଗ ସହ ସମନ୍ବୟ ରକ୍ଷା କରି ତଦନ୍ତ କରିବା ଉପରେ ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍‌ ପଶାୟତ ଗୁରୁତ୍ବାରୋପ କରିଥିଲେ। ତେଣୁ ଭିଜିଲାନ୍‌ସ ପକ୍ଷରୁ ଦିଆଯାଇଥିବା ୧୨ଦୁର୍ନୀତିଖୋର ସରକାରୀ ବାବୁଙ୍କ ମାମଲାରେ ଇଡି ଖୋଳତାଡ଼ କରିବ ବୋଲି ଧାର୍ୟ୍ୟ ହୋଇଥିଲା।