କନକ ବ୍ୟୁରୋ : ଖସିଯାଇ ପାରିବେନି ଦୁର୍ନୀତି ଖୋର ଅଫିସର । ଭିଜିଲାନ୍ସ ପରେ, ଏବେ କବାଟ ଠକ ଠକ କରିବ ଇଡି । ଶତାଧିକ ମାଲମାଲ ଅଫିସରଙ୍କ ପଲିଟିକାଲ ଓ ହୋଭିୱେଟ ଲିଙ୍କ ନେଇ ଆରମ୍ଭ ହେବ ଖୋଳତାଡ଼ । ସେନେଇ ପ୍ରାଥମିକ ପର୍ୟାୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ୨୪ ଜଣ କ୍ଲାସ ୱାନ ଅଫିସରଙ୍କ ତାଲିକା ଦେଇଛି ଭିଜିଲାନ୍ସ । ଆଉ ୟନ୍ତ୍ରୀଙ୍କୁ ଖୁବଶୀଘ୍ର ଅଫିସକୁ ଡାକି ଝାଳବୁହା ଜେରା କରିବ ଇଡି ।

Advertisment

ଭିଜିଲାନ୍ସ ପରେ ଘାଣ୍ଟିବ ଇଡି । ଖୋଲିବ ଦୁର୍ନୀତିଖୋର ଅଫିସରଙ୍କ ପାପର ପେଡ଼ି । ଖୁବଶୀଘ୍ର ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଧିକାରୀଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କିଏ କେଉଁଠି କେତେ ପୋତା ଧନ ରଖିଛନ୍ତି ତାର ରହସ୍ୟ ଖୋଳି ବାହାର କରାଯିବ । ୪ ମାସ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ସମସ୍ତ ବାବୁଙ୍କ ତଥ୍ୟ ଇଡିକୁ ଦେଇଛି ରାଜ୍ୟ ଭିଜିଲାନ୍ସ । ଏମାନଙ୍କ ଭିତରେ ଅଛନ୍ତି ୨୪ ଜଣ କ୍ଲାସ ୱାନ୍ ଅଫିସର ।

୧୦ ଯନ୍ତ୍ରୀଙ୍କୁ ଘାଣ୍ଟିବ ଇଡି

(୧) ପ୍ରଦୀପ କୁମାର ରଥ, ଓବିସିସିର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ

ଜବତ ହୋଇଥିଲା ୧୦ କୋଟି ୩୭ ଲକ୍ଷ ଟଙ୍କାର ସମ୍ପତ୍ତି

(୨) ପ୍ରସନ୍ନ କୁମାର ସ୍ୱାଇଁ, ସହକାରୀ ଯନ୍ତ୍ରୀ, ଜଳସେଚନ ବିଭାଜନ, ଭଞ୍ଜନଗର

୮ କୋଟି ୧୧ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ

(୩) ତାରା ପ୍ରସାଦ ମିଶ୍ର, ପୂର୍ବତନ ମୁଖ୍ୟ ଯନ୍ତ୍ରୀ, ଜ ଌ ଈ

୭ କୋଟି ୨୭ ଲକ୍ଷ ୪୯ ହଜାର ଟଙ୍କା ଜବତ

(୪) ପ୍ରଭାସ ପ୍ରଧାନ, ଅଧୀକ୍ଷଣ ଯନ୍ତ୍ରୀ, ବାଲେଶ୍ୱର ଜଳସେଚନ ବିଭାଜନ

ମୋଟ ୬ କୋଟି ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ

(୫) ସୁନୀଲ କୁମାର ରାଉତ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଲୋୟର ସୁକତେଲ ପ୍ରକଳ୍ପ

ମୋଟ ୫ କୋଟି ୭୯ ଲକ୍ଷ ୬୫ ହଜାର ଟଙ୍କାର ସମ୍ପତ୍ତି

(୬) ଧରଣୀଧର ନାୟକ, ଖଣି ଉପନିର୍ଦ୍ଦେଶକ, ତାଳଚେର

ମୋଟ ୪ କୋଟି ୭୮ ଲକ୍ଷ ୮୩ ହଜାର ଟଙ୍କାର ସମ୍ପତ୍ତି

(୭) ଭି. ହରିହର ରାଓ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ

୪ କୋଟି ୭ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତ୍ତି

(୮) କୈଳାସ ଚନ୍ଦ୍ର ସାହୁ, ମୁଖ୍ୟ ଯନ୍ତ୍ରୀ, କେନ୍ଦୁଝର

୩ କୋଟି ୬୭ ଲକ୍ଷ ୮୯ ହଜାର ଟଙ୍କାର ସମ୍ପତ୍ତି

(୯) ରାମଚନ୍ଦ୍ର ମିଶ୍ର, ଅବକାରୀ ଯୁଗ୍ମ କମିଶନର

୨ କୋଟି ୬ ଲକ୍ଷ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି

(୧୦) ପ୍ରଦୀପ କୁମାର ସାହୁ, ପୂର୍ବତନ ବିଡିଓ, ଆଠଗଡ଼

ମୋଟ ୧ କୋଟି ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲାକେତେବେଳେ ଇଡି କାହା କବାଟ ଠକ ଠକ କରିବା ତାହା କହିବା ମୁସକିଲ । ଏପରିକି ପ୍ରସ୍ତୁତ ହୋଇ ରହିଥିବା ଯନ୍ତ୍ରୀଙ୍କ ତାଲିକାରୁ ପାଳି ପାଳି ହୋଇ ପ୍ରବର୍ତନ ନିର୍ଦ୍ଦେଶାଳୟ କାର୍ୟାଳୟରେ ହାଜିର ହେବେ । କିଏ କେମିତି କେଉଁ ଉପାୟରେ କେବେଠାରୁ ଟଙ୍କା ଆତ୍ମସାତ କରି ମାଲାମାଲ ହୋଇଛନ୍ତି ତାର ହିସାବ ମାଗିବ ଇଡି । ଦୁର୍ନୀତି ପାହାଡରେ ଛିଡ଼ା ହୋଇଥିବା ଅଫିସର ମାନେ ଭିଜିଲାନ୍ସ ଜାଲରୁ ଖସିଯିବାକୁ ଯୋଜନା ଚଳାଇଥିବା ବେଳେ, ବାଜିବ ଇଡିର ଛାଟ । ସେନେଇ ତାଲିକା ପ୍ରସ୍ତୁତ କରିଛି ଭିଜିଲାନ୍ସ ।

ରାଜ୍ୟରେ ବଢ଼ି ଚାଲିଥିବା ଦୁର୍ନୀତିକୁ ମୁଳପୋଛ କରିବା ସହ ଦୁର୍ନୀତିର ପାହାଡ ଉପରେ ଛିଡା ହୋଇଥିବା ଅଧିକାରୀଙ୍କୁ କାଠଗଡାକୁ ଘୋଷାଡିବାକୁ ଯୋଜନା କରିଛନ୍ତି ସରକାର । ଅଫିସରଙ୍କ ସହ ସଂପୃକ୍ତ ଥିବା ରାଜନେତା ଓ ହେଭିୱେଟଙ୍କ ଲିଙ୍କ ଖୋଜିବା ପାଇଁ ଇଡିକୁ ଫାଇଲ ଦିଆଯାଇଥିବା ଚର୍ଚା ଜୋର ଧରିଛି ।