କନକ ବ୍ୟୁରୋ : ସୀମା ଅତିକ୍ରମ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଇଡ଼ି ଉପରେ ପ୍ରବଳ ବର୍ଷିବା ସହ ଯାଞ୍ଚ ପ୍ରକ୍ରିୟା ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ତାମିଲନାଡୁ ରାଜ୍ୟ ବଜାର ନିଗମ କାର୍ଯ୍ୟାଳୟ ଉପରେ ଚଢାଉ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଭର୍ତ୍ସନା କରିଛନ୍ତି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ବି.ଆର. ଗୱାଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ । ତାମିଲନାଡୁ ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନର ଜବାବରେ ଏହା ଉପରେ ସ୍ଥଗିତାଦେଶ ଜାରି କରାଯାଇଛି । ସରକାରୀ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ସମସ୍ତ ସୀମା ଅତିକ୍ରମ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାଦ୍ବାରା ସାମ୍ବିଧାନିକ ନିୟମ ଉଲ୍ଲଂଘନ ହେଉଥିବା କହିଛନ୍ତି ସର୍ବୋଚ୍ଚ ଅଦାଲତ ।

Advertisment

୧,୦୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ
ତାମିଲନାଡୁ ରାଜ୍ୟ ବଜାର ନିଗମରେ ହୋଇଥିବା ୧,୦୦୦ କୋଟି ଟଙ୍କାର ଦୁର୍ନୀତିର ତଦନ୍ତ ପାଇଁ ଇଡିକୁ ଅନୁମତି ଦେଇଥିଲେ ମାଡ୍ରାସ ହାଇକୋର୍ଟ । ମାର୍ଚ୍ଚ ମାସରେ ତାମିଲନାଡୁ ରାଜ୍ୟ ବଜାର ନିଗମ କାର୍ଯ୍ୟାଳୟ ଉପରେ ହୋଇଥିଲା ଚଢ଼ଉ । ଏହା ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ତାମିଲନାଡୁ ସରକାର । ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଯାଞ୍ଚ ଉପରେ ରୋକ୍ ଲଗାଇବା ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନୋଟିସ୍ ଜାରି କରିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ । ନିରପେକ୍ଷତାକୁ ଉଲଙ୍ଘନ କରି ଇଡ଼ି କେନ୍ଦ୍ର ସରକାରଙ୍କ ହାତବାରିସୀ ସାଜିଥିବା ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଆସୁଛି । ଏବେ ସୁପ୍ରିମକୋର୍ଟଙ୍କ କଡ଼ା ବାର୍ତ୍ତା ଇଡି ବିରୋଧରେ ବିରୋଧୀଙ୍କୁ ଧରାଇଦେଇଛି ଆଉ ଏକ ପ୍ରମୁଖ ଅସ୍ତ୍ର ।