କନକ ବ୍ୟୁରୋ : ଗଞ୍ଜାମ ବାଲି ଚୋରା ଚାଲାଣ ମାମଲା । ଆଜି ଇଡିରେ ହାଜର ହୋଇପାରନ୍ତି କଂଗ୍ରେସ ଯୁବ ନେତା ବିଶ୍ୱଜିତ୍ ପାତ୍ର ଓରଫ ହକି । ହକିଙ୍କୁ ଆଜି ସକାଳ ସାଢେ ୧୦ଟାରେ ହାଜର ହେବାକୁ ନୋଟିସ ଜାରି କରିଛି ଇଡି । ଆଜି ଦିନ ୧୦ଟା ୩୦ରେ ଭୁବନେଶ୍ବର ଇଡି କାର୍ଯ୍ୟାଳୟରେ ହାଜର ହେବେ । ନିକଟରେ ଗଞ୍ଜାମ ଜିଲ୍ଲାରେ ବାଲି ଚୋରା ଚାଲାଣ ଘଟଣାରେ ହୋଇଥିବା ଚଢାଉ ପରେ ଗଞ୍ଜାମ ଜିଲ୍ଲାରେ ବାଲି ଚୋରା ଚାଲାଣ ଏବଂ ବେଆଇନ ଖଣି କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜାନୁୟାରୀ ୧୬ ତାରିଖରେ ଚଢାଉ କରାଯାଇଥିଲା । ଇଡିର ଏକାଧିକ ଟିମ୍ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଆସ୍କା, ଶେରଗଡ଼ ସମେତ ପ୍ରାୟ ୨୫ରୁ ଅଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲେ ।
ଅଧିକ ପଢନ୍ତୁ : ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ କଣ ହେଲା? ସୋସିଆଲ୍ ମିଡିଆରେ ହଇଚଇ
ଏହି ସର୍ଚ୍ଚ ଅପରେସନ ବେଳେ ପ୍ରାୟ ୨.୬୩ କୋଟି ନଗଦ ଟଙ୍କା ସହ ଫର୍ଚୁନର, ସ୍କର୍ପିଓ, ଥାର୍ ଭଳି ଅନେକ ଦାମୀ ବିଳାସପୂର୍ଣ୍ଣ ଗାଡ଼ି, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ସମ୍ପତ୍ତିର ଦଲିଲ ଜବତ କରାଯାଇଛି । ଏହି ମାମଲାରେ ବିଶ୍ୱଜିତ୍ ପାତ୍ର ଏବଂ କିଛି ସ୍ଥାନୀୟ ରାଜନୈତିକ ନେତାଙ୍କ ସଂପୃକ୍ତି ଥିବା ସନ୍ଦେହରେ ସେମାନଙ୍କ ଘର ଓ କାର୍ଯ୍ୟାଳୟ ଉପରେ ରେଡ୍ ହୋଇଥିଲା । ଜାଲ୍ ଟ୍ରାଞ୍ଜିଟ୍ ପରମିଟ୍ ବ୍ୟବହାର କରି ବେଆଇନ ଭାବେ ବାଲି ଓ ପଥର ଚୋରା ଚାଲାଣ କରାଯାଉଥିବା ଅଭିଯୋଗରେ ଇଡି ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି ଘଟଣାରେ ଅଧିକ ପଚରାଉଚରା ପାଇଁ ଆଜି ବିଶ୍ୱଜିତ୍ ପାତ୍ରଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି ।
Follow Us