କନକ ବ୍ୟୁରୋ : ଦିଲ୍ଲୀ ଆପ୍ ନେତା ସୌରଭ ଭରଦ୍ୱାଜଙ୍କ ୧୩ ଟି ଠିକଣାରେ ଆଜି ଇଡି ଚଢ଼ାଉ କରିଛି । ୫ ହଜାର ୫୯୦ କୋଟି ଟଙ୍କା ହେରଫେର ମାମଲାରେ ଏହି ଚଢାଉ କରାଯାଉଛି । ସୌରଭ ଭରଦ୍ୱାଜଙ୍କ ୧୩ ଟି ଠିକଣାରେ ଏହି ଚଢାଉ ହୋଇଛି । ସେପଟେ ଏହି ଚଢାଉକୁ ନେଇ ଦଳ ତରଫରୁ ପ୍ରତିକ୍ରିୟା ରଖାଯାଇଛି । ଦଳ କହିଛି କି ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟକୁ ନେଇ କୋର୍ଟ ଦେଇଥିବା ରାୟକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଏହି ମାମଲା ଉପରୁ ଦେଶବାସୀଙ୍କ ଧ୍ୟାନ ହଟାଇବାକୁ ଏହା ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ । ସୂଚନା ଥାଉ କି ଦିଲ୍ଲୀ ନିର୍ବାଚନ ପୂର୍ବରୁ ଇଡି, ସିବିଆଇ ଓ ଆୟକର ବିଭାଗ ତରଫରୁ ଆପର ଅନେକ ନେତାଙ୍କ ଉପରେ ଚଢାଉ ହୋଇଥିଲା । ଏଭଳି କି  ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏଭଳି କିଛି ଅର୍ଥ ହେରଫେର ମାମଲାରେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ୧୮ ମାସ ଜେଲରେ ରଖିବା ପରେ ଏହି ମାମଲାରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ସେପଟେ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ, ସଂଜୟ ସିଂ ଓ ଅନ୍ୟ କିଛି ନେତା ନିର୍ବାଚନ ପୂର୍ବରୁ ଗିରଫ ହୋଇଥିଲେ । ହେଲେ ନିର୍ବାଚନ ସରିବା ପରେ ମାମଲା ଥଣ୍ଡା ପଡ଼ିଯାଇଛି । ସେମାନଙ୍କ ମାମଲା ଉପରେ କୌଣସି ଆଲୋଚନା ହେଉନାହିଁ ।