କନକ ବ୍ୟୁରୋ: ଗୌହ୍ୱାଟୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଦ୍ୱାରା ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଜେରା କରାଯାଇଛି । ମହାଦେବ ବେଟିଂ ଆପ୍ ଓ ଫେୟାର ପ୍ଲେ ଆପ୍‌ରେ ବେଆଇନ ବିଜ୍ଞାପନରେ ଅଭିନୟ କରିବା ମାମଲାରେ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୩୪ ବର୍ଷିୟା ଅଭିନେତ୍ରୀଙ୍କ ବିବୃତି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ଅନୁଯାୟୀ ଜୋନାଲ ଅଫିସରେ ରେକର୍ଡ କରାଯାଇଛି ବୋଲି କୁହାଯାଇଛି । ଭାଟିଆଙ୍କୁ ଦୀର୍ଘ ୫ ଘଣ୍ଟା ଧରି ଜେରା କରାଯାଇଛି । ଗତକାଲି ଅଭିନେତ୍ରୀ ତାଙ୍କ ବାପାମାଆଙ୍କୁ ନେଇ ଇଡି ଅଫିସ୍‌ରେ ପହଞ୍ଚିଥିବା ସୂଚନା ରହିଛି । ପଚରାଉଚରା ନେଇ ତମନ୍ନା କିମ୍ବା ତାଙ୍କ ବାପା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

Advertisment

ମହାଦେବ ବେଟିଂ ଆପ୍ ଓ ଫେୟାର ପ୍ଲେ ଆପ୍‌ରେ ଆଇପିଏଲ୍ ମ୍ୟାଚ୍ ବେଆଇନ ଭାବେ ଟେଲିକାଷ୍ଟ ବି କରାଯାଇଥିଲା । ଏଥିପାଇଁ ଭାୟାକମ୍ ୧ କୋଟି ଟଙ୍କା କ୍ଷତି ସହିଥିଲା । ଏହି ମାମଲାରେ ତାଙ୍କର ସମ୍ପୃକ୍ତି ଥିବାରୁ ତମନ୍ନା ଭାଟିଆଙ୍କୁ ଗୌହାଟୀର ଇଡି କାର୍ୟ୍ୟାଳୟରେ ପଚରାଉଚରା କରାଯାଉଛି । ଆପ୍ ଜରିଆରେ ଲୋକେ ୫୭ ହଜାର ଟଙ୍କା ବିନିଯୋଗ କରିବା ପରେ ପ୍ରତିଦିନ ୪ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ରଣବୀର କପୁର, ଶ୍ରଦ୍ଧା କପୁର, କପିଲ ଶର୍ମା, ହୁମା କୁରେସି, ହିନା ଖାନ୍‌ଙ୍କ ସମେତ ୧୭ ଜଣ ବଲିଉଡ୍ ତାରକାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି ।