ଓଡିଶା ଆସୁଛନ୍ତି ଇଡି ନିର୍ଦ୍ଦେଶକ ; ଏସଆଇଟି ବୈଠକରେ ହେବେ ସାମିଲ

ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ । ଆସନ୍ତାକାଲି କଟକରେ ବସିବାକୁ ଥିବା ଏସଆଇଟି ବୈଠକରେ ହେବେ ସାମିଲ । ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ଏସଆଇଟି ଅଧ୍ୟକ୍ଷ ଅରିଜିତ ପଶାୟତ ।

ED

କନକ ବ୍ୟୁରୋ: ଆଜିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଇଡି ନିର୍ଦ୍ଦେଶକ ରାହୁଲ ନବୀନ। ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ପୁରୀ ଯିବେ। ପୁରୀରେ ରାତ୍ରଯାପନ ପରେ ବୁଧବାର କଟକ ଯାଇ ଏସଆଇଟି ବୈଠକରେ ସାମିଲ ହେବେ। 

ଆସନ୍ତାକାଲି ଦିନ ୧୧ଟା ବେଳେ ଏସଆଇଟିର ବୈଠକ ବସିବ। ବୈଠକରେ ଯୋଗଦେବେ ଇଡିର ନିର୍ଦ୍ଦେଶକ ସମେତ ବହୁ କେନ୍ଦ୍ରୀୟ ଓ ରାଜ୍ୟ ତଦନ୍ତ ଏଜେନ୍ସିର ଅଧିକାରୀ। ରାଜ୍ୟରେ ଭିଜିଲାନ୍ସ ପକ୍ଷରୁ ମାମଲା ଦାଏର ହୋଇଥିବା ୧୧ ଜଣ ଲାଞ୍ଚୁଆ ଅଧିକାରୀଙ୍କ ସମ୍ପର୍କରେ ଆଲୋଚନା କରାଯିବ। ଇଡି ନିର୍ଦ୍ଦେଶକଙ୍କ ଗସ୍ତ ନେଇ ରାଜନେତାଙ୍କ ମଧ୍ୟରେ ଛନକା ପଶିଥିବା ଚର୍ଚ୍ଚା ହେଉଛି। କିଛି ବରିଷ୍ଠ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ନୂଆ ଅର୍ଥନୈତିକ ଅପରାଧିକ ଘଟଣାରେ ମୁଣ୍ଡ ଖେଳାଇପାରେ ଇଡି। ଯାହାକୁ ନେଇ ରାଜ୍ୟ ରାଜନୀତି ମହଲ ସରଗରମ ହୋଇଛି। ୧୯୯୩ ବ୍ୟାଚର ଆଇଆରଏସ୍ ଅଫିସର ନବୀନ ଚଳିତ ମାସ ପ୍ରାରମ୍ଭରେ ଆର୍ଥିକ ଅପରାଧ ତଦନ୍ତ ସଂସ୍ଥାର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଗତବର୍ଷ ସେପ୍ଟେମ୍ବରରୁ ସେ ଏଜେନ୍ସିର ଇନଚାର୍ଜ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ୨୦୧୯ ନଭେମ୍ବରରେ ସେ ଇଡିରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe