କନକ ବ୍ୟୁରୋ: ବିଗବସ୍‌ ଓଟିଟି ବିଜେତା ତଥା ଫେମସ ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଅଡ଼ୁଆ ବଢ଼ିଲା । ଏଲଭିଶଙ୍କ ସମ୍ପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରେଭ୍‌ ପାର୍ଟିକୁ ଏଲଭିଶ ସାପ ବିଷ ସପ୍ଲାଇ କରୁଥିବା ବେଳେ କମର୍ସିଆଲ୍ ଭିଡିଓ ଓ ବ୍ଲଗ୍‌ରେ ସଂରକ୍ଷିତ ସାପ ପ୍ରଜାତି ଓ ବିଦେଶୀ ପଶୁଙ୍କୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ଏଥିରୁ ହେଉଥିବା ରୋଜଗାର ସଂକ୍ରାନ୍ତରେ ପଚରାଉଚରା କରି ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି ଇଡି । ଏଲଭିଶ ଯାଦବଙ୍କ ସମେତ ହରିଆଣା ସିଙ୍ଗର ରାହୁଲ ଯାଦବଙ୍କ ସମ୍ପତ୍ତି ବି ଆଟାଚ୍ କରିଛି ଇଡି । ଉଭୟଙ୍କ ୫୨.୪୯ ଲକ୍ଷ ମୂଲ୍ୟର ସମ୍ପତ୍ତି ଆଟାଚ୍ କରିଛି ଇଡି । ଗତ ବର୍ଷ ସାପ ବିଷ ମାମଲାର ଖୁଲାସା ପରେ ନୋଏଡ଼ା ପୁଲିସ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ସେମାନଙ୍କ ମଧ୍ୟରୁ ରାହୁଲଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ହେବା ପରେ ରାହୁଲ ୟୁଟ୍ୟୁବର ଏଲଭିଶଙ୍କ କାରନାମା ବିଷୟରେ ପୁଲିସ୍‌ ସମ୍ମୁଖରେ ଖୁଲାସା କରିଥିଲେ । ସେତେବେଳେ ପୁଲିସ ୟୁଟ୍ୟୁବରକୁ ଅନେକ ଥର ପଚରାଉଚରା ପାଇଁ ଡାକିଥିଲା, କିନ୍ତୁ କୌଣସି ଗିରଫଦାରୀ ହୋଇପାରି ନଥିଲା । ଏହାପରେ ପୁଲିସ୍‌ ଏଳଭିଶ ଯାଦବଙ୍କୁ ଗିରଫ କରିଥିଲା । ଏବେ ଇଡି ଉତ୍ତରପ୍ରଦେଶ ଓ ହରିଆଣାରେ ଥିବା ଏଲଭିଶ ଯାଦବ ଓ ରାହୁଲଙ୍କ ସମ୍ପତ୍ତି ଜବତ କରିଛି । ଏଲଭିଶ ଯାଦବ ରେବ୍ ପାର୍ଟି ପାଇଁ ସାପର ବିଷ ସପ୍ଲାଏ କରୁଥିଲେ ଏବଂ ତାଙ୍କ ଭିଡିଓ ସୁଟ୍ ପାଇଁ ସାପ ମଧ୍ୟ ବ୍ୟବହାର କରୁଥିବା ଅଭିଯୋଗ ରହିଛି ।