କନକବ୍ୟୁରୋ : ସୋମବାର ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହେବ । ତା ପୂର୍ବରୁ ଗୃହରେ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶା ଅର୍ଥନୀତିର ଆକାର ୯.୫ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଅର୍ଥନୈତିକ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ରିପୋର୍ଟରେ କୁହାଯାଇଛି, ଏହି ବର୍ଷରେ ଓଡିଶା ଅର୍ଥନୀତି ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ସର୍ବଭାରତୀୟ ସ୍ତରରେ ଏହି ହାର ୬.୪ ପ୍ରତିଶତ ତୁଳନାରେ ଅଧିକ । ରାଜ୍ୟ ଅର୍ଥନୀତିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଯୋଗଦାନ ପ୍ରାୟ ୧୯ ପ୍ରତିଶତ ଓ ଏହାର ଅଭିବୃଦ୍ଧି ହାର ୩.୩ ପ୍ରତିଶତ ।
ରାଜ୍ୟ ଅର୍ଥନୀତିରେ ଶିଳ୍ପ କ୍ଷେତ୍ରର ଯୋଗଦାନ ୪୪ ପ୍ରତିଶତ ଥିବାବେଳେ ଏହାର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ଯାହାକି ସର୍ବଭାରତୀୟ ସ୍ତର ସହିତ ପ୍ରାୟ ସମାନ । ରାଜ୍ୟରେ ସେବାକ୍ଷେତ୍ରର ଯୋଗଦାନ ପ୍ରାୟ ୩୭ ପ୍ରତିଶତ ଏବଂ ଏହାର ୧୦ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି । ସେବା କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ଭବିଷ୍ୟତର ଅର୍ଥନୀତି ପାଇଁ ଏକ ଶୁଭ ସଙ୍କେତ ବୋଲି କୁହାଯାଉଛି । ୨୦୨୪-୨୫ ଆର୍ଥିକ ବର୍ଷରେ ମୁଣ୍ଡପିଛା ଆୟ ୧୦.୬ ପ୍ରତିଶତ ବୃଦ୍ଧି ପାଇଛି ।
ମୁଣ୍ଡପିଛା ଆୟ ହିସାବରେ ଓଡିଶା ଏକାଦଶ ସ୍ଥାନରେ ରହିଛି । ୨୦୨୩-୨୪ ଆର୍ଥକ ବର୍ଷରେ ଗ୍ରାମାଞ୍ଚଳରେ ମାସିକ ମୁଣ୍ଡପିଛା ଖର୍ଚ୍ଚରେ ଓଡିଶା ପଞ୍ଚଦଶ ସ୍ଥାନରେ ଥିବା ବେଳେ ସହରାଞ୍ଚଳରେ ଏକାଦଶ ସ୍ଥାନରେ ରହିଛି. ରାଜ୍ୟର ଦରବୃଦ୍ଧିର କାରଣ ବିଶ୍ବ ଯୋଗାଣ ଶୃଙ୍ଖଳାରେ ବ୍ୟାଘାତ, ପାଣିପାଗର ପ୍ରତିକୂଳ ପରିସ୍ଥିତି ଏବଂ ହ୍ରାସ ପାଉଥବା ଅମଳ କାରଣ ବୋଲି କୁହାଯାଇଛି । ୨୦୨୪-୨୫ (ଏପ୍ରିଲ୍-ଡିସେମ୍ବର) ମଧ୍ୟରେ ଓଡିଶାରେ ମୁଦ୍ରାସ୍ପିତି ୬.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି ।