କନକ ବ୍ୟୁରୋ: ପାଖେଇ ଆସୁଛି ରାଖୀ ପୁନେଇ । ଭାଇ ହାତରେ ଭଉଣୀ ବାନ୍ଧିବ ରାକ୍ଷୀ । ଏଥିପାଇଁ ବଜାରରେ ଜମିଲାଣି ବେପାର । ଗାଁଠୁ ସହର ସବୁଠି ଲାଗିଲାଣି ରାକ୍ଷୀ ଷ୍ଟଲ୍ । ତେବେ ବସ୍ତା ସିଂଲା ପଞ୍ଚାୟତ ଜାମସୁଳି ଗାଁର ଭକ୍ତବତ୍ସଳ ଦଳାଇ ଧାନ, ମୁଗ, ଚାଉଳ, ଗହମ, ଲବଙ୍ଗ, କଉଡ଼ି ଓ ଶାମୁକାରେ ରାକ୍ଷୀ ତିଆରି କରୁଛନ୍ତି । ଏଥିରେ ସ୍ତ୍ରୀ ସୁବାସିନୀ ସମସ୍ତ ସହଯୋଗ କରନ୍ତି । ରାକ୍ଷୀ ପୂର୍ଣ୍ଣିମା ଆସିଲେ ଗାଁର ପିଲାମାନେ ମଧ୍ୟ ଆସି ରାକ୍ଷୀ ତିଆରିରେ ସହଯୋଗ କରିଥାନ୍ତି । ଘରକାମ ଏବଂ ପଢ଼ାରୁ ସମୟ କାଢ଼ି ସେମାନେ ବି କିଛି ପଇସା ରୋଜଗାର କରନ୍ତି । ବଜାର ରାକ୍ଷୀ ଅପେକ୍ଷା ହାତ ତିଆରି ରାକ୍ଷୀ ସୁନ୍ଦର ଏବଂ ଭିନ୍ନଧରଣର ହୋଇଥିବାରୁ କିଣିବାକୁ ଗ୍ରାହକଙ୍କ ଭିଡ଼ ଲାଗୁଛି । ଦାମ୍ ୫ ଟଙ୍କାରୁ ୪୦ ଟଙ୍କା ରହୁଛି ।
ଭକ୍ତ ବତ୍ସଳ ନିଜେ ରାକ୍ଷୀ ତିଆରି କରି ନିଜ ଦୋକାନରେ ବିକ୍ରି କରୁଛନ୍ତି । ଅନ୍ୟ ବ୍ୟବସାୟୀ ମଧ୍ୟ ତାଙ୍କ ଠାରୁ କିଣି ବ୍ୟବସାୟ କରୁଛନ୍ତି । ତାଙ୍କ ହାତ ତିଆରି ରାକ୍ଷୀ ବସ୍ତା, ବାଲିଆପାଳ, ଲଙ୍ଗଳେଶ୍ୱର, ଗାନ୍ଧୀଛକ, ଅମର୍ଦାରୋଡ, ରୁପସା ଅଞ୍ଚଳରେ ବିକ୍ରି ହୋଇଥାଏ । ସମୟ ସହ ଲୋକଙ୍କ ରୁଚି ବି ବଦଳିଛି । ବଜାରରେ ମଧ୍ୟ ଡିଜିଟାଲ ରାକ୍ଷୀ ବିକ୍ରି ହେଉଛି । ତଥାପି ହାତ ତିଆରି ରାକ୍ଷୀ ଚାହିଦା କମିନାହିଁ ।
Follow Us