କନକ ବ୍ୟୁରୋ: ପୃଥିବୀ ଭିତରୁ ଲିକ୍ ହେଉଛି ସୁନା । ପୃଥିବୀର କେନ୍ଦ୍ରସ୍ଥଳରୁ ବହୁମୂଲ୍ୟ ଧାତୁ ସୁନା ଲିକ୍ ହେଉଥିବା ନେଇ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ମୁତାବକ, ପୃଥିବୀର କେନ୍ଦ୍ରସ୍ଥଳ, ଯାହାକି ଆମ ଗ୍ରହର ସବୁଠୁ ଗଭୀରତମ ସ୍ଥାନ, ସେହି ଅଞ୍ଚଳରେ ଥିବା ସୁନା ଏବଂ ମୂଲ୍ୟବାନ ଧାତୁ ଏବେ ଲିକ୍ ହେଉଛି । 

Advertisment

ଜର୍ମାନୀର ଗୋଣ୍ଟିଗେନ୍ ୟୁନିଭର୍ସିଟିର ବୈଜ୍ଞାନିକ ହବାଇ ଦ୍ୱୀପର ଏକ ଆଗ୍ନେୟଗିରିର ଯାଞ୍ଚ କରୁଥିଲେ । ଯେଉଁଠି ସେ ରୁଥେନିୟମ ନାମକ ବହୁମୂଲ୍ୟ ଧାତୁକୁ ପାଇଥିଲେ । ଯାହାକି କେବଳ ପୃଥିବୀର କେନ୍ଦ୍ରସ୍ଥଳରେ ମିଳିଥାଏ । ଆଉ ଏହା ପୃଥିବୀର ଉପର ପରସ୍ତଠାରୁ ପାଖାପାଖି ୨୯୦୦ କିଲୋମିଟର ଭିତରେ ଥାଏ । ହେଲେ ଏଭଳି ଧାତୁ ପୃଥିବୀ ପୃଷ୍ଠର ଉପରେ ପାଇବା ପରେ, ସେ ପୃଥିବୀର କେନ୍ଦ୍ରସ୍ଥଳରୁ ସୁନା ଲିକ୍ ହେଉଥିବା ନେଇ ସୂଚନା ଦେଇଛନ୍ତି ।

ଜାଣିରଖିବା ଉଚିତ ଯେ ପୃଥିବୀର ସବୁଠୁ ଉପର ପରସ୍ତକୁ କ୍ରଷ୍ଟ କୁହାଯାଇଥାଏ । ଏହାପରେ ମାଣ୍ଚେଲ୍ ଆଉ ତା’ପରେ କୋର୍ ରହିଥାଏ । କୋର୍ ହେଉଛି ପୃଥିବୀର କେନ୍ଦ୍ରସ୍ଥଳ, ଯାହାକି ଦୁଇ ଭାଗରେ ବିଭକ୍ତ । ବାହାର କୋର୍ ପତଳା ଧାତୁକୁ ନେଇ ଗଠନ ହୋଇଥିବାବେଳେ, ଭିତର କୋର୍ କଠିନ ଲୁହା ଭଳି ପଦାର୍ଥକୁ ନେଇ ଗଢ଼ାହୋଇଛି । ଆଉ ଏହି କୋର୍ ଭିତରେ ହିଁ ସୁନା, ରୁଥେନିୟମ ଏବଂ ଅନ୍ୟ ମୂଲ୍ୟବାନ ଧାତୁ ରହିଛି । ଯାହାକି ଏବେ ପୃଥିବୀର ଉପର ଭାଗକୁ ଲିକ୍ ହେବା ଆରମ୍ଭ କରିଛି ।

ବୈଜ୍ଞାନିକ ହବାଇର କିଲାଉଆ ଆଗ୍ନେୟଗିରି ଚଟାଣରୁ ମିଳିଥିବା ରୁଥେନିୟମର ଯାଞ୍ଚ କରିଥିଲେ । ଯେଉଁଥିରୁ ଜଣାପଡ଼ିଥିଲା ଯେ, ଏହା ପୃଥିବୀର କୋରରୁ ହିଁ ଆସିଛି । ଯାହାର ଅର୍ଥ ହେଉଛି, କେଉଁଠି ନା କେଉଁଠି ପୃଥିବୀର କେନ୍ଦ୍ରସ୍ଥଳରୁ ହିଁ ଏହା ଲିକ୍ ହୋଇ ପୃଥିବୀପୃଷ୍ଠକୁ ଆସିଛି ।