କନକ ବ୍ୟୁରୋ : ମିଆଁମାର ଓ ଥାଇଲ୍ୟାଣ୍ଡରେ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ଆସିଛି । ୭.୭ ଏବଂ ୬.୪ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମିଆଁମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଛି । ମିଆଁମାରରେ ୧୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ଭୂକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ଏହା ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି । ଭାରତରେ ମେଘାଳୟ, ମଣିପୁର, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି । ବାଂଲାଦେଶ, ଭିଏତ୍ନାମ ଏବଂ ଚୀନ୍ର ଦକ୍ଷିଣପଶ୍ଚିମ ୟୁନାନ୍ ପ୍ରଦେଶରେ ମଧ୍ୟ ଭୂକମ୍ପର ତୀବ୍ର ଝଟ୍କା ଅନୁଭୂତ ହୋଇଛି । ମିଆଁମାର ଓ ଥାଇଲ୍ୟାଣ୍ଡରେ ଭୂକମ୍ପଜନିତ ନିଖୋଜଙ୍କ ସଂଖ୍ୟା ୨ ଶହ ଅତିକ୍ରମ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । କେନ୍ଦ୍ରୀୟ ମିଆଁମାରର ମାଣ୍ଡଲେ ନିକଟରେ ଶୁକ୍ରବାର ସ୍ଥାନୀୟ ସମୟ ମଧ୍ୟାହ୍ନ ପ୍ରାୟ ୧୨.୫୦ରେ ପ୍ରଥମ ଭୂକମ୍ପ ଆସିଥିଲା ଏବଂ ଏହାର ତୀବ୍ରତା ୭.୭ ରହିଥିଲା । ଏହାର ୧୧ ମିନିଟ୍ ପରେ ଆସିଥିବା ଦ୍ବିତୀୟ କମ୍ପନର ତୀବ୍ରତା ୬.୪ ରହିଥିଲା । ଏହାର କେନ୍ଦ୍ରସ୍ଥଳ ସଗାଇଙ୍ଗ ସହରର ୧୬ କିମି ଦକ୍ଷିଣ ପଶ୍ଚିମରେ ୧୦ରୁ ୩୦ କିମି ଗଭୀରତାରେ ଥିଲା ବୋଲି ଜଣାପଡ଼ିଛି । ଭୂକମ୍ପର ଭୀଷଣ ଝଟ୍କାରେ ଥାଇଲ୍ୟାଣ୍ଡରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି । ବ୍ୟାଙ୍କକ୍ରେ ଏକ ୩୦ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଛି । ୮୦ରୁ ଅଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଜଣାପଡ଼ିଛି । ମିଆଁମାରରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରାଯାଇଥିବା ବେଳେ ଥାଇଲ୍ୟାଣ୍ଡର ବ୍ୟାଙ୍କକ୍କୁ ଇମର୍ଜେନ୍ସି ଜୋନ୍ ଘୋଷଣା କରାଯାଇଛି । ଉଭୟ ରାଷ୍ଟ୍ରରେ ବିଶାଳ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି ।
ଭୂକମ୍ପ ଝଟକା: ବଢୁଛି ମୃତ୍ୟୁ ସଂଖ୍ୟା
- ମିଆଁମାର ଓ ଥାଇଲ୍ୟାଣ୍ଡରେ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ
- ମିଆଁମାରରେ ୧୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ
-୭୦୦ରୁ ଅଧିକ ଆହତ, ଅନେକ ନିଖୋଜ
-ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି
-ଉତ୍ତର ଭାରତର କେତେକ ରାଜ୍ୟରେ ମଧ୍ୟ ପଡିଛି ପ୍ରଭାବ
-ବାଂଲାଦେଶ, ଭିଏତ୍ନାମ ଏବଂ ଚୀନ୍ର ଦକ୍ଷିଣପଶ୍ଚିମ ୟୁନାନ୍ ପ୍ରଦେଶରେ ଝଟକା
-ଭୂକମ୍ପଜନିତ ନିଖୋଜଙ୍କ ସଂଖ୍ୟା ୨ ଶହ ଅତିକ୍ରମ
-କେନ୍ଦ୍ରସ୍ଥଳ ସଗାଇଙ୍ଗ ସହରର ୧୬ କିମି ଦକ୍ଷିଣ ପଶ୍ଚିମରେ
-୮୦ରୁ ଅଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା