କନକ ବ୍ୟୁରୋ: ସକାଳୁ ଥରିଲା ଓଡ଼ିଶା । ମଙ୍ଗଳବାର ସକାଳୁ ବଙ୍ଗୋପସାଗରରୁ ସୃଷ୍ଟ ଭୂମିକମ୍ପ ଅଧା ଓଡ଼ିଶା ଛାତିରେ ଛନକା ଭରିଛି। ଭୂମିକମ୍ପରେ ସେଭଳି କୌଣସି କ୍ଷୟକ୍ଷତି ହୋଇନି । କିନ୍ତୁ ଓଡ଼ିଶା ପାଇଁ ବାଜିଛି ସତର୍କଘଣ୍ଟି । 

ଭୋରୁ ଭୋରୁ ଭୂମିକମ୍ପ
ଶୋଇଥିଲେ ଲୋକ, ଥରିଲା ଅଧା ଓଡ଼ିଶା

Advertisment

ସମୟ ସକାଳ ୬ଟା ୧୦ । କିଏ ମର୍ଣ୍ଣିଂ ୱାର୍କରେ ବାହାରି ଯାଇଥିଲା । ତ ପୁଣି କିଏ ନିଜ କର୍ମକ୍ଷେତ୍ରକୁ ଯିବାକୁ ପ୍ରସ୍ତୁତ ହେଉଥିଲା । କିଏ ଶେଯ ଛାଡିନଥିଲା ତ ପୁଣି କିଏ ଖଟିରେ ଚାହାକୁ ଅପେକ୍ଷା କରିଥିଲା । କିନ୍ତୁ ଏସବୁ ଭିତରେ ହଠାତ୍ ଥରି ଉଠିଲା ଅଧା ଓଡ଼ିଶା । କାରଣ ସକାଳୁ ସକାଳୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୧ । ସମୁଦ୍ର ପତନରୁ ୯୦ କିମି ଗଭୀରରେ ଭୂମିକମ୍ପର ଉତ୍ପତିସ୍ଥଳ । ପୁରୀ, ବାଲେଶ୍ୱର, ଵ୍ରହ୍ମପୁର, ଭୁବନେଶ୍ୱର, ବାରିପଦା ସହରରେ ଭୂମିକମ୍ପ ଲୋକଙ୍କୁ ଭୟଭୀତ କରିଥିଲା । ଓଡିଶା ସମେତ ପଶ୍ଚିମବଙ୍ଗର ହଳଦିଆ ଓ କୋଲକାତାରେ ବି ଭୂମିକମ୍ପ ଅନୁଭୂତ ହୋଇଥିଲା ।  

ଓଡ଼ିଶାର ୧୪ଟି ଜିଲ୍ଲାକୁ ରହିଛି ଭୂମିକମ୍ପର ଭୟ । ରାଜ୍ୟର ଅନେକ ଜିଲ୍ଲା ଭୂମିକମ୍ପ ପ୍ରବଣ ଜୋନ ୩ ଅଧୀନରେ ରହିଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର,ଢେଙ୍କାନାଳ, ଅନୁଗୁଳ,ସମ୍ବଲପୁର,ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ ସେସମିକ୍ ଜୋନ-୩ରେ ରହିଛି।  ଭୁତତ୍ବ ବିଜ୍ଞାନୀଙ୍କ ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଏହି ଭୂମିକମ୍ପର ଗଭୀରତା ଯଦି  କମ ଥାନ୍ତା ଓ ଉତ୍ପତ୍ତି ସ୍ଥଳର ଦୂରତା ଉପକୂଳ ଠାରୁ କମ ରହିଥାନ୍ତା ତାହେଲେ ଓଡ଼ିଶାରେ ବଡ଼ କ୍ଷୟକ୍ଷତି ହେଇଥାନ୍ତା  ।   

ହିମାଳୟରେ ଗ୍ଲାସିୟର ତରଳୁଥିବା ବେଳେ ଜଳବାୟୁ ପରିବର୍ତ୍ତନ ଭୂମିକମ୍ପର ବଡ କାରଣ। କିନ୍ତୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଫଲ୍ଟ ଲାଇନ ଓଡ଼ିଶା ପାଇଁ ଭୂମିକମ୍ପର ଭୟ ସୃଷ୍ଟି କରିଛି। ଜୋନ୍ ୩ରେ ଥିବା ଓଡ଼ିଶା ଉପରୁ ବଡ଼ ବିପଦ ଟଳିଛି ସତ। କିନ୍ତୁ ଆଗକୁ ଭୂମିକମ୍ପ ମୁକାବିଲା କରିବା ଓଡ଼ିଶା ପାଇଁ ବଡ଼ ଚ୍ୟାଲେଞ୍ଜ ।