କନକ ବ୍ୟୁରୋ: ସମ୍ବାଦ ଗ୍ରୁପ ପକ୍ଷରୁ ଆରମ୍ଭ ହୋଇଛି ପୁନଶ୍ଚ ପୃଥିବୀ ସମ୍ମିଳନୀ -୨୦୨୫ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏକ ବଡ଼ ଆହ୍ୱାନ ଦେଇଛନ୍ତି ସମ୍ବାଦ ଏବଂ କନକ ନ୍ୟୁଜର ସମ୍ପାଦକ ତନୟା ପଟ୍ଟନାୟକ । ଘରେ ଘରେ ଜଣେ ଲେଖାଏଁ ପରିବେଶ ଯୋଦ୍ଧା ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

Advertisment

ସମ୍ବାଦ ଓ କନକ ନ୍ୟୁଜର ସମ୍ପାଦକ ତନୟା ପଟ୍ଟନାୟକ କହିଛନ୍ତି, ଘରେ ଘରେ ଜଣେ ଜଣେ ପରିବେଶ ଯୋଦ୍ଧା ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଆମେ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲୁ । ଏହା ପରେ ପରେ ପରିବେଶ ପଞ୍ଚାୟତ ମାଧ୍ୟମରେ ଏହାକୁ ଆଗକୁ ନେବାକୁ ଆମର ପ୍ରୟାସ ଜାରି ରହିଛି । ସାରା ଓଡ଼ିଶାରେ ନେତା, ମହିଳା, ଯୁବକ ଓ ବୁଦ୍ଧିଜୀବୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ସେହିପରି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ସିଏମଡି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ଆଜିର ଦିନରେ ସମାଜର ସବୁଠୁ ବଡ଼ ସମସ୍ୟା ହେଲା ‘ପ୍ରସଙ୍ଗହୀନତା’ । ଆମେ ବେକାର ପ୍ରସଙ୍ଗକୁ ନେଇ ସମୟ ନଷ୍ଟ କରୁଛୁ । ତେବେ ଆଗାମୀ ଦିନରେ ଯଦି କେତେବେଳେ ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ତାହା ପାଣି ପାଇଁ ହେବ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଏହାସହ ଆମ ପୂର୍ବରୁ ଯିଏ ବିକାଶ କଲେ, ସେ ବିନାଶ କରି ବିକାଶ ହାସଲ କରିଛନ୍ତି, ତେଣୁ ଆମ ପାଇଁ ଆହ୍ୱାନ ହେଉଛି, ଅଳ୍ପ ବିନାଶରେ ଅଧିକ ବିକାଶ ।