କନକ ବ୍ୟୁରୋ: ଭବିଷ୍ୟତ ସୁରକ୍ଷିତ ରଖିବାକୁ ହେଲେ ନିବେଶ କରିବା ନିହାତି ଜରୁରୀ । ଅଧିକାଂଶ ଲୋକେ ଏବେ ସେୟାର ମାର୍କେଟ ଉପରେ ନିବେଶ କରୁଛନ୍ତି । କିନ୍ତୁ ଏଭଳି ନିବେଶ ମାର୍କେଟ ଲିଙ୍କ୍ଡ୍ ଥିବାରୁ ଏଥିରେ ରିସ୍କ ମଧ୍ୟ ଅଧିକ ଥାଏ । ଯଦି ଜଣେ ବ୍ୟକ୍ତି କୌଣସି ରିସ୍କ ଫ୍ରି' ନିବେଶ କରିବାକୁ ଚିନ୍ତା କରୁଛନ୍ତି ତେବେ ପୋଷ୍ଟ ଅଫିସ ସ୍କିମ୍ ସବୁଠାରୁ ବଡ଼ ଏବଂ ଭଲ ବିକଳ୍ପ ବୋଲି କହିଲେ ଭୁଲ୍ ହେବନି । କାରଣ ପୋଷ୍ଟ ଅଫିସରେ ଅତି କମ୍ ନିବେଶ ବି ଭଲ ରିଟର୍ଣ୍ଣ ପାଉଛନ୍ତି ଲୋକେ । ଆଜି ଆମେ ଆପଣଙ୍କୁ ଏଭଳି ହିଁ ଏକ ସ୍କିମ୍ ବିଷୟରେ ନିମ୍ନରେ ସୂଚନା ଦେଇଛୁ । ଏହି ସ୍କିମ୍ରେ ଅତି କମ୍ରେ ୨୦୦ ଟଙ୍କାରେ ନିବେଶ ଆରମ୍ଭ କରି ପାରିବେ ଯେକୌଣସି ବ୍ୟକ୍ତି । ଖାଲି ସେତିକି ନୁହେଁ ୨୦୦ ଟଙ୍କା ନିବେଶରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଟର୍ଣ୍ଣ ପାଇପାରିବେ ।
ଯଦି କୌଣସି ବ୍ୟକ୍ତି ବିନା କୌଣସି ରିସ୍କ୍ରେ ଭଲ ରିଟର୍ଣ୍ଣ ପାଇବାକୁ ଚାହୁଛନ୍ତି, ତେବେ ସେମାନେ ପୋଷ୍ଟ ଅଫିସର ସ୍ମଲ୍ ସେଭିଂ ସ୍କିମ୍ ଉପରେ ଭରସା କରି ପାରିବେ । କେନ୍ଦ୍ର ସରକାର ପୋଷ୍ଟ ଅଫିସ ସ୍କିମ୍ଗୁଡ଼ିକୁ ସପୋର୍ଟ କରି ଆସୁଛନ୍ତି । ପୋଷ୍ଟ ଅଫିସର ଆର୍ଡି ସ୍କିମ୍ ମଧ୍ୟ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ କାର୍ଯ୍ୟ କରୁଛି । ଏହି ସ୍କିମ୍ରେ ମାତ୍ର ୨୦୦ ଟଙ୍କା ନିବେଶ କରି ନିଜର ଓ ନିଜ ପରିବାରର ଭବିଷ୍ୟତ ସୁରକ୍ଷିତ ରଖି ପାରିବେ ।
ପୋଷ୍ଟ ଅଫିସର ଆର୍ଡି ସ୍କିମ୍ରେ ପ୍ରତିଦିନ ୨୦୦ ସଞ୍ଚୟ କଲେ ପାଖାପାଖି ୧୦ ଲକ୍ଷ ଟଙ୍କା ରିଟର୍ଣ୍ଣ ପାଇ ପାରିବେ ନିବେଶକ । ଏହି ଯୋଜନାରେ ପ୍ରତିଦିନ ୨୦୦ ଟଙ୍କା ନିବେଶ କଲେ ମାସକୁ ୬ ହଜାର ଟଙ୍କା ସଞ୍ଚୟ ହେବ । ୫ ବର୍ଷ ପର୍ଯ୍ୟନ୍ତ ଏଭଳି ନିବେଶ ଜାରି ରଖିଲେ ମୋଟ ମୂଳଧନ ସଞ୍ଚୟ ୩ ଲକ୍ଷ ୬୦ ହଜାର ହେବ । ଏହି ସଞ୍ଚୟ ଉପରେ ଇଣ୍ଡିଆ ପୋଷ୍ଟ ୬.୭ ପ୍ରତିଶତ ସୁଧ ଦେଉଛି । ଏହାର ଅର୍ଥ ଜଣେ ବ୍ୟକ୍ତି ଖାଲି ସୁଧ ଆକାରରେ ୬୫ ହଜାର ଟଙ୍କା ପାଇବେ । ସେହିପରି ଏହି ନିବେଶକୁ ୧୦ ବର୍ଷ ପର୍ଯ୍ୟନ୍ତ ଜାରି ରଖିଲେ ମୂଳ ଧନ ହେବ ୭ ଲକ୍ଷ ୨୦ ହଜାର ଓ ସୁଧ ମିଳିବ ୨ ଲକ୍ଷ ୬୯ ହଜାର । ଏହାର ଅର୍ଥ ଜଣେ ବ୍ୟକ୍ତି ମାଚ୍ୟୁରିଟି ବେଳେ ପାଖାପାଖି ୧୦ ଲକ୍ଷ ଟଙ୍କା ରିଟର୍ଣ୍ଣ ପାଇ ପାରିବେ । ତାହା ପୁଣି ବିନା କୌଣସି ରିସ୍କ୍ରେ ।
ତେବେ ଏଭଳି ସ୍କିମ୍ରେ ଅତି କମ୍ରେ ୧୦୦ ଟଙ୍କାରୁ ବି ନିବେଶ ଆରମ୍ଭ କରି ପାରିବେ ନିବେଶକ । ପୋଷ୍ଟ ଅଫିସ୍ ଆର୍ଡି ସ୍କିମ୍ର ଆଉ ଏକ ଫାଇଦା ହେଉଛି, ଜମା ମୂଳଧନ ଉପରେ ଲୋନ୍ ମଧ୍ୟ ଯୋଗାଇ ଦେବ ବ୍ୟାଙ୍କ । ଏହି ଲୋନ୍ ପରିଶୋଧ କରିବାକୁ ମାତ୍ର ୨ ପ୍ରତିଶତ ସୁଧ ଆକାରରେ ଦେବାକୁ ହେବ ।