କନକ ବ୍ୟୁରୋ: ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ତଥା ସଅଳ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଆଜି ମଧ୍ୟାହ୍ନ ୧୨ଟା ୫୭ମିନିଟ ୨୨ ସେକେଣ୍ଡରେ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ରହିଛି । ଗ୍ରହଣ ସ୍ପର୍ଶ ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରେ ରହିଥିବା ବେଳେ ସର୍ବମୋକ୍ଷ ରାତି ୧ ଟା ୨୭ ମିନିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ରହିଛି । ଏହାକୁ ଦୃଷ୍ଟିରେ ରଖି ରାତି ୨ଟାରେ ଦ୍ୱାରଫିଟା ନୀତି କରାଯାଇଛି । ଏଥିସହ ସାଢ଼େ ୨ଟାରେ ଭିତର ଶୋଧ, ୨ଟା ୪୦ରେ ମଙ୍ଗଳ ଆଳତି, ମଇଲମ ଓ ତଡ଼ପଲାଗି ୩ଟା, ଅବକାଶ ଓ ରୋଷହୋମ ସାଢ଼େ ୩ଟାରେ କରାଯାଇଛି । ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ସରିବା ପରେ ଭୋର ୫ଟାରୁ ୬ଟା ମଧ୍ୟରେ ସକାଳ ଧୂପ ସମ୍ପନ୍ନ ହୋଇଛି । ୬ଟା ୧୫ ରେ ମଇଲମ, ସାଢ଼େ ୭ଟାରେ ଭୋଗମଣ୍ଡପ ଶେଷ ହୋଇ ସକାଳ ୮ଟାରୁ ୯ଟା ମଧ୍ୟରେ ମଧ୍ୟାହ୍ନ ଧୂପ ସମ୍ପନ୍ନ ହେବ ।
ସକାଳ ସାଢେ ୯ଟାରେ ଦକ୍ଷିଣୀ ଘର ଭୋଗ, ସାଢେ ୮ଟାରୁ ସାଢ଼େ ୧୦ଟା ମଧ୍ୟରେ ଦ୍ଵିତୀୟ ଭୋଗମଣ୍ଡପ, ମଇଲମ, ୧୧ଟା ୧୫ରେ ସନ୍ଧ୍ୟା ଆଳତି ହେବ। ଏବଂ ଗୋବିନ୍ଦ ବନ୍ଦାପନା ଓ ଇନ୍ଦ୍ର ହାତୀ ପ୍ରସ୍ତାବ ରହିଛି। ତେଣୁ ସାଢ଼େ ୧୧ଟାରେ ଦୋଳଗୋବିନ୍ଦ ଭିତରକୁ ବିଜେ କରିବେ । ୧୧ଟା ୪୫ରେ ଆଜ୍ଞାମାଳ ପାଇ ପାଲିଙ୍କିକୁ ବିଜେ କରିବେ । ୧୨ଟାରେ ପାଲିଙ୍କି ଉଠିବ । ସାଢ଼େ ୧୨ ଟା ସୁଦ୍ଧା ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ସାରି ବାହୁଡ଼ା ବିଜେ କରିବେ। ମଇଲମ ଓ ତଡ଼ପଲାଗି ହୋଇ ଭିତରକାଠ ଦର୍ଶନ ହେବ। ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡ ସୁଦ୍ଧା ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣଭୋଗ ଓ ଅନ୍ୟ ନୀତି ହେବ ।
ଆଜି ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଆରଢ଼ି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚୂଡାନ୍ତ ହୋଇଛି ନୀତିକାନ୍ତି । ଏଥିପାଇଁ ମନ୍ଦିର ପ୍ରଶାସନ, ସେବାୟତ ଓ ପାଳିଆ ସେବାୟତଙ୍କ ପକ୍ଷରୁ ନୀତିନୀର୍ଘଣ୍ଟ ହୋଇଛି । ସହଳ ନୀତିକାନ୍ତି କରାଯାଇ ପାକତ୍ୟାଗ ପୂର୍ବରୁ ଅର୍ଥାତ୍ ୧୨ଟା ୩୦ମିନିଟ ସୁଧା ସମସ୍ତ ଦୈନନ୍ଦିନ ନୀତିକାନ୍ତି ସମ୍ପର୍ଣ୍ଣ କରାଯିବ । ମଧ୍ୟାହ୍ନ ୧ଟାରେ ବାବାଙ୍କର ପହୁଡ଼ କରାଯିବ । ଏହି ସମୟ ଠାରୁ ଅର୍ଥାତ୍ ମଧ୍ୟାହ୍ନ ୧ଟା ଠାରୁ ବାବାଙ୍କ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଗ୍ରହଣ ସର୍ଵମୋକ୍ଷ ପରେ ରାତି ୨ଟା ପରେ ମନ୍ଦିର ମାର୍ଜନା କରାଯାଇ ବାବାଙ୍କୁ ମହାସ୍ନାନ କରାଯାଇ ସର୍ବସାଧାରଣଙ୍କ ଦର୍ଶନ ପାଇଁ ସାହାଣମେଲା କରାଯିବ ।