କନକ ବ୍ୟୁରୋ : ଆମେରିକା ଦ୍ୱାରା ସେନା ବିମାନରେ ଅବୈଦ୍ଧ ପ୍ରବାସୀଙ୍କୁ ଭାରତ ପଠାଇଦେବା ଘଟଣାକୁ ନେଇ ଆଜି ସଂସଦରେ ବିରୋଧୀଦଳମାନେ ଜୋରଦାର ହଙ୍ଗାମା କରିଛନ୍ତି । ଏନେଇ ବିରୋଧୀଦଳ ସାଂସଦମାନେ ସଡକରୁ ସଂସଦ ଆଜି ଜୋରଦାର ପ୍ରଦର୍ଶନ ମଧ୍ୟ କରିଛନ୍ତି । ଦେଶର ବୈଦେଶିକ ନୀତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୟରେ ସଦୃଢ ହୋଇଥିବା କଥା ପ୍ରଚାର କରାଯାଉଥିବା ବେଳେ କିଭଳି ଭାବେ ଆମେରିକାର ସେନା ବିମାନ ଭାରତମାଟିରେ ଓହ୍ଲାଇଲା, କିଭଳି ଭାବେ ଅବୈଦ୍ଧ ପ୍ରବାସୀଙ୍କୁ ହାତଗୋଡ ବାନ୍ଧି ଅପରାଧୀ ଭଳି ଆମେରିକା ଭାରତ ପଠାଇଲା ତାହାକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଏହାର ଜବାବ ଦେବାକୁ ଯାଇ ବୈଦେଶିକମନ୍ତ୍ରୀ ଏସ୍ ଜୟଶଂକର ରାଜ୍ୟସଭାରେ ବୟାନ ଦେଇଛନ୍ତି । ସେ ବିରୋଧୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କି, କାହିଁକି ଆମେରିକା ୧୦୪ ପ୍ରବାସୀ ଭାରତୀୟଙ୍କୁ ଭାରତ ପଠାଇଦେଲା ।
ରାଜ୍ୟସଭାରେ ଏସ୍ ଜୟଶଂକର କହିଛନ୍ତି କି, ଆମେରିକା ଅବୈଦ୍ଧ ପ୍ରବାସୀ ଭାରତୀୟଙ୍କୁ ନିଜ ଦେଶକୁ ପଠାଇବାର ଏହି ପ୍ରକ୍ରିୟା ନୂଆ ନୁହେଁ । ଏହାପୂର୍ବରୁ ମଧ୍ୟ ଆମେରିକା ଏଭଳି ଭାବେ ଅବୈଦ୍ଧ ପ୍ରବାସୀଙ୍କୁ ଭାରତ ପଠାଇଛି । ଆମେରିକାର ଆଇନ ମୁତାବକ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଅବୈଦ୍ଧ ପ୍ରବାସୀଙ୍କ ଉପରେ ଆମେରିକା ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ପ୍ରତ୍ୟାବର୍ତ୍ତନର ଏହି ପ୍ରକ୍ରିୟା କିଛି ନୂଆ ନୁହେଁ ବୋଲି କହିଛନ୍ତି ବିଦେଶମନ୍ତ୍ରୀ ।
ରାଜ୍ୟସଭାରେ ଜୟଶଂକର ଆମେରିକାରୁ ନିର୍ବାସନ ଉପରେ ସଂଯୁକ୍ତ ରାଷ୍ଟ୍ରର ସନ୍ଧି ବା ଚୁକ୍ତି କଥା ଉଠାଇଥିଲେ । ସେ କହିଥିଲେ କି, ବୈଦ୍ଧ ଭାବେ ଆମେରିକାରେ ରହୁଥିବା ଲୋକଙ୍କୁ ସମର୍ଥନ କରିବା ଓ ଅବୈଦ୍ଧ ଭାବେ ରହୁଥିବା ପ୍ରବାସୀଙ୍କୁ ହତୋତ୍ସାହିତ କରିବା ପାଇଁ ଆମେରିକା ଏଭଳି ପଦକ୍ଷେପ ନେଇଛି । ଅବୈଦ୍ଧ ଭାରତୀୟ ପ୍ରବାସୀମାନେ ସେଠାରେ ଅମାନବୀୟ ସ୍ଥିତିରେ ଫସିଥିଲେ । ଅବୈଦ୍ଧ ରୂପେ ବିଦେଶରେ ରହୁଥିବା ନାଗରିକମାନଙ୍କୁ ତୁରନ୍ତ ନିଜ ନିଜ ଦେଶକୁ ଫେରାଇନେବାକୁ ସବୁଦେଶମାନଙ୍କର ଦାୟିତ୍ୱ । ସେ ଆହୁରି କହିଛନ୍ତି କି, ଆଇନଗତ ଭାବେ ଯିବା ଆସିବା କରିବାକୁ ପ୍ରୋତ୍ସାହିତ କରିବା ଓ ବେଆଇନ ଭାବେ ଯିବା ଆସିବା ରୋକିବାକୁ ଏହା ସବୁଠାରୁ କଠୋର ପଦକ୍ଷେପ । ଏହା ଭାରତୀୟଙ୍କ ହିତରେ ବୋଲି ସେ ଯୁକ୍ତି ବାଢିଛନ୍ତି ।
ବିଦେଶମନ୍ତ୍ରୀ ଆହୁରି କହିଛନ୍ତି କି, ୨୦୦୯ ଠାରୁ ଅବୈଦ୍ଧ ପ୍ରବାସୀ ଭାରତୀୟଙ୍କୁ ଆମେରିକା ଲଗାତର ଭାବେ ଭାରତ ପଠାଇ ଆସୁଛି । ଏହାସହ ସେ ଏହି ଘଟଣାକୁ ନେଇ ତଥ୍ୟ ରଖିଛନ୍ତି ।
୨୦୧୦ ମସିହାରେ ୭୯୯ ଜଣଙ୍କୁ ଆମେରିକା ଭାରତ ପଠାଇଥିଲା
୨୦୧୧-୫୯୭
୨୦୧୨ -୫୩୦
୨୦୧୩- ୫୧୫
୨୦୧୪-୫୯୧
ସେପଟେ ଭାରତକୁ ଛାଡି ଯଦି ଆମେ ଅନ୍ୟ ଦେଶ କହିବା ତେବେ ପ୍ରଥମ ଦେଶ ଭାବେ କଲମ୍ବିୟା ରାଷ୍ଟ୍ରପତି ଏହାକୁ ଘୋର ବିରୋଧ କରିଥିଲେ । ପ୍ରଥମ ଥର ଅବୈଦ୍ଧ କଲମ୍ବିୟା ପ୍ରବାସୀଙ୍କୁ ନେଇ କଲମ୍ବିୟା ଯାଇଥିବା ଆମେରିକାର ସେନା ବିମାନକୁ ସେଠିକାର ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ଅବତରଣ କରିବାକୁ ଦିଆଯାଇନଥିଲା । ଏହା ବଦଳରେ କଲମ୍ବିଆ ରାଷ୍ଟ୍ରପତି କହିଥିଲେ, କି ସେମାନେ ଅପରାଧୀ ନୁହଁନ୍ତି, ବ୍ୟବସାୟ ଓ ଜୀବନ ଜୀବିକା ପାଇଁ ସେମାନେ ଆମେରିକାରେ ଅବୈଦ୍ଧ ପ୍ରବେଶ କରିଥିଲେ । ସେମାନଙ୍କୁ ହାତଗୋଡ ବାନ୍ଧି ଦୁର୍ଦ୍ଦାନ୍ତ ଅପରାଧୀ ଭଳି ନିଜ ଦେଶକୁ ଆଣିବା ମାନବିକତାର ଉଲଙ୍ଘନ । ଏହି ଉର୍ଦ୍ଦେଶ୍ୟରେ କଲମ୍ବିୟା ତାର ନାଗରିକଙ୍କୁ ନିଜସ୍ୱ ବିମାନରେ ନିଜ ଦେଶକୁ ଫେରାଇ ନେବାକୁ ଆମେରିକା ନିକଟରେ ପ୍ରସ୍ତାବ ରଖିଥିଲା । ହେଲେ ଏହାପରେ ଆମେରିକା ରାଷ୍ଟ୍ରପତି ଯେତେବେଳେ ଏହି ମାମଲାକୁ ଆକ୍ରୋଶମୂଳକ ଭାବେ କଲମ୍ବିୟା ଉପରେ ଟାରିଫ୍ ଲଗାଇଲା, ତା ପରେ ଆମେରିକା ରାଷ୍ଟ୍ରପତି ନରମ ପଡିଛନ୍ତି ।