କନକ ବ୍ୟୁରୋ : ଜାନୁଆରୀ ୫ ତାରିଖ ସୁଦ୍ଧା ରାସନକାର୍ଡ ହିତାଧିକାରୀ ଇ-କେୱାଇସି କରିବାକୁ ବାଧ୍ୟତାମୂଳକ କରାଯାଇଛି । କନକ ନ୍ୟୁଜ ହାତରେ ଲାଗିଥିବା ସୂଚନା ଅନୁସାରେ ୫୧ ଲକ୍ଷରୁ ହିତାଧିକାରୀ ଇ-କେୱାଇସି ଅପଡେଟ୍ କରିନାହାନ୍ତି । ଅର୍ଥାତ ପାଖାପାଖି ୫୦ ଲକ୍ଷ ହିତାଧିକାରୀ ତାଲିକାରୁ ବାଦ ପଡିପାରନ୍ତି ।
ଯୋଗାଣ ବିଭାଗର ତଥ୍ୟ କହୁଛି ଆଜିଯାଏଁ ରାଜ୍ୟରେ ୫୧ ଲକ୍ଷ ୩୧ ହଜାର ୯୧୯ଜଣ ଇ-କେୱାଇସି ଅପଡେଟ୍ କରିନାହାନ୍ତି । ସେପଟେ ସରିସରି ଆସୁଛି ଋ-କଣଉ ଅପଡେଟ୍ କରିବାର ସମୟସୀମା । ଯୋଗାଣମନ୍ତ୍ରୀ କହିଛନ୍ତି, ଏଥିପାଇଁ ଆଉ ୫ରୁ ୭ ଦିନ ସମୟ ଦିଆଯିବ । ଅର୍ଥାତ ଜାନୁଆରୀ ୫ ତାରିଖ ପରେ ଆଉ ଇ-କେୱାଇସି ଅପଡେଟ୍ କରିପାରିବେ ନାହିଁ ରାସନକାର୍ଡ ହିତାଧିକାରୀ । ତେଣୁ ପ୍ରାୟ ୫୦ ଲକ୍ଷ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ିପାରନ୍ତି । ଯାହା ମୋହନ ସରକାରଙ୍କ ଅଡୁଆ ବଢ଼ାଇବ ।
୧୧ଟି ଜିଲ୍ଲାରେ ଲକ୍ଷେରୁ ଅଧିକ ହିତାଧିକାରୀ ଅଛନ୍ତି ଯେଉଁମାନେ ଇ-କେୱାଇସି ଅପଡେଟ୍ କରିନାହାନ୍ତି । ନଜର ପକାନ୍ତୁ ପଛରେ ପଡ଼ିଥିବା ୧୦ ଜିଲ୍ଲା ଉପରେ ।
ଇ-କେୱାଇସି ଅପଡେଟ୍ କରିନାହାନ୍ତି
ଗଞ୍ଜାମ- ୩ ଲକ୍ଷ ୬୭ ହଜାର ୭୫୫
ମୟୂରଭଞ୍ଜ- ୩ ଲକ୍ଷ ୨୨ ହଜାର ୮୧୭
କଳାହାଣ୍ଡି- ୩ ଲକ୍ଷ ୧୨ ହଜାର ୮୪
କେନ୍ଦୁଝର- ୨ ଲକ୍ଷ ୮୯ ହଜାର ୪୮୪
କୋରାପୁଟ- ୨ ଲକ୍ଷ ୮୮ ହଜାର ୩୭୦
ନବରଙ୍ଗପୁର- ୨ ଲକ୍ଷ ୮୬ ହଜାର ୯୦୦
ବାଲେଶ୍ବର- ୨ ଲକ୍ଷ ୫୮ ହଜାର ୧୫୮
ବଲାଙ୍ଗିର-୨ ଲକ୍ଷ ୩୨ ହଜାର ୯୫
ସୁନ୍ଦରଗଡ଼- ୨ ଲକ୍ଷ ୧୬ ହଜରା ୨୧୨
ଯାଜପୁର- ୨ ଲକ୍ଷ ୬ ହଜାର ୩୦୦
କେବଳ ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୨୪ ହଜାର ୪୦୮ ହିତାଧିକାରୀ ବାକି ଅଛନ୍ତି । ନେଟୱର୍କ ସମସ୍ୟା, ବୟସ୍କ ଓ ଛୋଟପିଲାଙ୍କ ଆଧାର କାର୍ଡରେ ସମସ୍ୟ କାରଣରୁ ଅଧିକାଂସ ଇ-କେୱାଇସି ଅପଡେଟ୍ କରିପାରୁନଥିବା ଅଭିଯୋଗ ମଧ୍ୟ ହେଉଛି । ତେଣୁ ସମୟସୀମା ବୃଦ୍ଧି କରିବାକୁ ଦାବି କଲେଣି ବିରୋଧୀ । ନହେଲେ କନ୍ଧମାଳର ମାଙ୍ଗିପଙ୍କା ଭଳି ଅବସ୍ଥା ଉପୁଜିବ ବୋଲି ଚେତାଇ ଦେଇଛନ୍ତି ।
ତଥ୍ୟ କହୁଛି ଗତ ୪୦ ଦିନରେ ଇ-କେୱାଇସି ଅପଡେଟ କରିଛନ୍ତି ୧୮ ଲକ୍ଷ ୧୮ ହଜାର ୬୧ ଜଣ । ଅର୍ଥାତ୍ ଦିନକୁ ସର୍ବାଧିକ ୪୫ ହଜାର ଇ-କେୱାଇସି ଅପଡେଟ୍ ହୋଇଛି । ଏଭଳି ସ୍ଥିତିରେ ଆଗାମୀ ୭ ଦିନରେ ପ୍ରାୟ ୩ ଲକ୍ଷ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍ ସମ୍ଭବ ହେବ । ତେଣୁ ସମୟସୀମା ପରେ ଯଦି ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ପଡ଼ନ୍ତି ତାହାହେଲେ ସରକାରଙ୍କ ସମସ୍ୟା ବଢ଼ିବ ।