କନକ ବ୍ୟୁରୋ : ଗରିବଙ୍କ ମୁହଁରେ ମୁଠାଏ ଦାନା ପାଇଁ ରାସନ କାର୍ଡରେ ଚାଉଳ ଯୋଗାଉଛନ୍ତି ସରକାର । ବଡ଼ବଡ଼ିଆ ଏହି ଯୋଜନାର ଲାଭ ଉଠାଉଥିବା ବେଳେ ଯୋଗ୍ୟ ହିତାଧିକାରୀ କିନ୍ତୁ ବଞ୍ଚିତ ହେଉଛନ୍ତି । ଆଉ ଅଭିଯୋଗ କଲେ ବି କେହି ଶୁଣିବାକୁ ନାହାନ୍ତି । ରାୟଗଡ଼ାରେ ଅନେକ ଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡରେ ନାଁ କଟିଯାଇଥିବା ଅଭିଯୋଗ ଆସିଛି ।
ମାଣିକା ବିଡ଼ିକା
ବୟସ ୮୦ରୁ ଅଧିକ
୩ ନମ୍ବର ୱାର୍ଡ ଝୋଲା ସାହିର ମାଣିକା, ଭଲ ଭାବେ ଚାଲିପାରନ୍ତିନି । ସ୍ବାମୀଙ୍କ ମୃତ୍ୟୁ ପରେ ଏକୁଟିଆ ଆଗରୁ ୫ କେଜି ଚାଉଳ ପାଉଥିଲେ। ବୟସ ବଢ଼ିବାରୁ ଆଉ ଆଙ୍ଗୁଠି ପ୍ରିଣ୍ଟ ନେଉନି କି ଆଖି ସ୍କାନ୍ ହୋଇପାରୁନି । ତେଣୁ ୩ ମାସ ହେଲା ପିଡିଏସ୍ ଚାଉଳ ପାଇବାରୁ ବଞ୍ଚିତ ମାଣିକା ।
ପାଡ଼ି ନାରାୟଣ ଆମ୍ମା
ବୟସ ୭୩ ବର୍ଷ
ରାୟଗଡ଼ା ସଦର ୧୪ ନମ୍ବର ୱାର୍ଡର ନାରାୟଣ ଆମ୍ମାଙ୍କର ବି ଇ-କେୱାଇସି ନହେବାରୁ ତାଙ୍କୁ ବି ୩ ମାସ ହେଲାଣି ପିଡିଏସ୍ ଚାଉଳ ମିଳୁନାହିଁ । କେବଳ ଏ ୨ ଜଣ ନୁହେଁ, ଏମିତି ଅନେକ ଅଛନ୍ତି। ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲାରେ ୫୪,୩୪୮ ଜଣ ହିତାଧିକାରୀ ଇ-କେୱାଇସି କରିପାରିନାହାନ୍ତି । ୪୨,୫୬୪ ଜଣ ହିତାଧିକାରୀଙ୍କୁ ଅଯୋଗ୍ୟ ଦର୍ଶାଇ ଯୋଜନାରୁ ବାଦ୍ ଦିଆଯାଇଛି । ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କ ନାଁକୁ ଯାଞ୍ଚ କରି ବାଦ୍ ଦିଆଯାଇଥିବା କୁହାଯାଉଛି । ଆଗାମୀ ଦିନରେ ଆଧାର କାର୍ଡ ସଂଶୋଧନ କ୍ୟାମ୍ପ କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ଇ-କେୱାଇସି ହୋଇପାରୁନଥିବା ବୃଦ୍ଧବୃଦ୍ଧାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ନକରି ସେମାନଙ୍କ ନାଁ କାଟିଦେବା କେତେ ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।