କନକ ବ୍ୟୁରୋ: ମାଛ ମାରିବାକୁ ମହାନଦୀରେ ବେଆଇନ ଡିନାମାଇଟ୍ ବିସ୍ଫୋରଣ କରାଯାଉଥିବା ସାମନାକୁ ଆସିଛି । ପାଣି ଭିତରେ ବିସ୍ଫୋରଣ ପରେ ଥରି ଉଠୁଛି ନଦୀ ଗର୍ଭ । ଅସ୍ତିର ହେଉଛି ଜଳରାଶି । ବୌଦ୍ଧ ଓ ଆଖପାଖ ଅଞ୍ଚଳରେ ମହାନଦୀରୁ ମାଛ ମାରିବା ପାଇଁ ପ୍ରତିଦିନ ଏଭଳି ହେଉଛି ଶହଶହ ବିସ୍ଫୋରଣ । ସହଜରେ ଅଧିକ ମାଛ ମାରିବାକୁ ବେଆଇନ ଡିନାମାଇଟ ବିସ୍ଫୋରଣର ପନ୍ଥା ଆପଣାଇ ନେଇଛନ୍ତି କିଛି ଦୁର୍ବୃତ୍ତ । ଡିନାମାଇଟ୍ ବିସ୍ପୋରଣ ଯୋଗୁ ପ୍ରଦୂଷିତ ହେଉଛି ମହାନଦୀ ପାଣି । ମାଛ ସହ ବିଭିନ୍ନ ଜଳଚର ଜୀବ ଲୋପ ପାଉଛନ୍ତି। ପ୍ରଦୂଷଣ ସହ ମତ୍ସ୍ୟଜୀବୀଙ୍କ ଜୀବିକା ମଧ୍ୟ ପ୍ରଭାବିତ ହେଉଛି ।
ପ୍ରସ୍ତୁତ ହେଉଛି ଡିନାମାଇଟ୍ । ପ୍ରସ୍ତୁତ ପରେ ବାରୁଦ ନାସିରେ ନିଆଁ ଲଗାଇ ନଦୀପାଣି ଭିତରକୁ ଫିଙ୍ଗାଯାଉଛି । କିଛି ସମୟ ପରେ ହେଉଛି ବିସ୍ଫୋରଣ। ନଈରେ ମାଛ ଯାଆଁଳ ଛଡ଼ା ଯାଉଥିଲେ ବି ବିସ୍ଫୋରଣ କାରଣରୁ ସାନବଡ଼ ସବୁ ମାଛ ମରି ମାଛବଂଶ କମିଯାଉଛି । ପରିବେଶ ପାଇଁ ଉପକାରୀ ଜଳଚର ଜୀବଙ୍କ ମୃତ୍ୟୁ ହେଉଛି । ଜୀବିକା ହରାଇ ମତ୍ସ୍ୟଜୀବୀ ଦାଦନ ଖଟିବାକୁ ଯାଉଛନ୍ତି । ସେପଟେ ମାଛ ମାରିବା ପାଇଁ ସ୍ବତନ୍ତ୍ର ନିୟମ ନଥିବା କହି ମତ୍ସ୍ୟ ଅଧିକାରୀ ହାତ ଟେକି ଦେଇଛନ୍ତି।
ନଦୀରେ ବିସ୍ଫୋରଣ ନକରିବା ପାଇଁ ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ପରିବେଶବିତ୍ ପରାମର୍ଶ ଦେଇଛନ୍ତି । ତେବେ ପ୍ରଶ୍ନ ଉଠୁଛି, ମତ୍ସ୍ୟଜୀବୀ କେଉଁଠୁ ଆଣୁଛନ୍ତି ବିସ୍ଫୋରକ? ମତ୍ସ୍ୟଜୀବୀଙ୍କୁ ବେଆଇନ ଭାବେ ବାରୁଦ ବିକିକା ଅପରାଧ ନୁହେଁ କି? ଏହି ବେଆଇନ କାରବାର କେବେ ହେବ ବନ୍ଦ?