କନକ ବ୍ୟୁରୋ: ସମ୍ବଲପୁର ଦୁର୍ଗାପାଲି ରେଲୱେ ଓଭର ବ୍ରିଜ୍କୁ ନେଇ ଥମୁନି ବିବାଦ । ବାରମ୍ବାର ବ୍ରିଜ୍ ଦବି ଯାଉଥିବା ବେଳେ ନା ହେଉଛି ତଦାରଖ ନା ହେଉଛି ତଦନ୍ତ । ଫଳରେ ଏବେ ସାଧାରଣ ଜନତାଙ୍କ ପାଇଁ କାଳ ସାଜିଛି ୬୦ କୋଟିର ଓଭର ବ୍ରିଜ୍।
ପାଦ ଥାପିଲେ ପିଚୁ ଉଠି ଆସୁଛି । ସ୍ଥିତି ଏମିତି, ରାସ୍ତାର ବିଭିନ୍ନ ଅଂଶ ଦବିଗଲାଣି । ସମ୍ବଲପୁର ଦୁର୍ଗାପାଲି ରେଲୱେ ଓଭର ବ୍ରିଜର ଏପରି ଅବସ୍ଥା । ସାମାନ୍ୟ ବର୍ଷାରେ ରାସ୍ତା ଦବିବା ପରେ ମରଣଯନ୍ତା ପାଲଟିଛି ବ୍ରିଜ୍ । ଉଦ୍ଘାଟନକୁ ୬ ମାସ ପୂରିନି, କେତେ ଥର ଦବିଲାଣି ତା’ର ହିସାବ ନାହିଁ । ବ୍ରିଜ୍ ଦବିବା ପରେ ପ୍ୟାଚ୍ ପକା ମରାମତି ହୋଇଛି । ଆଉ ତା ବି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି ।
ରେଳ ବିଭାଗ ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଏ ବ୍ରିଜ୍ ନିର୍ମାଣ କରିଛନ୍ତି । ରେଲୱେ ବିଭାଗ କଂକ୍ରିଟ ଅଂଶ ନିର୍ମାଣ କରିଥିବା ବେଳେ ଦୁଇ ପାର୍ଶ୍ବର ପିଚୁ ରାସ୍ତା ତିଆରି କରିଛି ପୂର୍ତ୍ତ ବିଭାଗ । ୯୪୭ ମିଟର ଲମ୍ବର ଏ ଫ୍ଲାଏ ଓଭର ନିର୍ମାଣ ପାଇଁ ଖର୍ଚ୍ଚ ମୋଟ୍ ୬୦ କୋଟି ୪୩ ଲକ୍ଷ ୭୮ ହଜାର ଟଙ୍କା । ମାତ୍ର ଏତେ ନିମ୍ନାମାନର କାମ ହୋଇଛି ଯେ, କଂକ୍ରିଟ ଅଂଶରେ ମଧ୍ୟ ଗେଟି ଉଠିଗଲାଣି । ଅଭିଯୋଗ ପରେ ଉତ୍ତରାଞ୍ଚଳ ଆରଡିସିଙ୍କ ଅତିରିକ୍ତ ସଚିବ ଜିଲ୍ଲାପାଲଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ଚିଠି କରିଛନ୍ତି ।
ସବୁଠୁ ବଡ଼ ପ୍ରଶ୍ନ କେମିତି ପୂର୍ତ୍ତ ବିଭାଗ ଏତେ ନିମ୍ନମାନର କାମ ଦେଖିପାରିଲାନି? ନା ମିଳିମିଶି କରିଛନ୍ତି ଦୁର୍ନୀତି? ଏନେଇ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଆମେ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।