କନକ ବ୍ୟୁରୋ : ସୁଭଦ୍ରା ଫର୍ମ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ସୁଭଦ୍ରା ଆବେଦନକୁ ନେଇ ମହିଳାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି । କେମିତି ଆବେଦନ କରିବେ ? କଣ ସବୁ ଡକ୍ୟୁମେଣ୍ଟସ ଦରକାର? ଯୋଗ୍ୟ ହିତାଧିକାରୀର ମାନଦଣ୍ଡ କଣ ? ଏଭଳି ସନ୍ଦେହ ଦୂର କରିବାକୁ ସୁଭଦ୍ରା କଲସେଣ୍ଟର ଖୋଲିଛନ୍ତି ସରକାର । ଦେୟମୁକ୍ତ କଲ କରି ସମସ୍ତ ସନ୍ଦେହ ଦୂର କରିପାରିବେ ହିତାଧିକାରୀ । ସେପଟେ ସୁଭଦ୍ରା ଆବେଦନ ଓ ଫର୍ମଦାଖଲ ସଂପୂର୍ଣ୍ଣ ଦେୟମୁକ୍ତ ହୋଇଥିବା ବେଳେ କିଏ ଟଙ୍କା ମାଗିଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
‘ସୁଭଦ୍ରା’ ସନ୍ଦେହ ଦୂର କରିବ କଲସେଣ୍ଟର । ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ । ରାଜ୍ୟରେ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନାର ଆବେଦନ ଓ ଫର୍ମ ଦାଖଲ ପ୍ରକ୍ରିୟା । ହେଲେ ଆବେଦନ ଓ ଫର୍ମ ଦାଖଲ ପ୍ରକ୍ରିୟାକୁ ନେଇ ମହିଳାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି । ତେଣୁ ମହିଳା ହିତାଧିକାରୀଙ୍କ ସନ୍ଦେହ ଦୂର କରିବାକୁ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଓକାକ୍ ଠାରେ ଖୋଲିଛି ସୁଭଦ୍ରା କଲ ସେଣ୍ଟର । କଲସେଣ୍ଟରର ଟୋଲଫ୍ରି ନଂବର-୧୪୬୭୮କୁ ଫୋନ କରି ସୁଭଦ୍ରା ସଂପର୍କିତ ସନ୍ଦେହ ଦୂର କରିପାରିବେ ହିତାଧିକାରୀ । ସକାଳ ୬ଟାରୁ ରାତି ୧୦ଟା ଯାଏ ଏହା କାର୍ଯ୍ୟକ୍ଷମ ରହିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଲସେଣ୍ଟରକୁ ଉଦଘାଟନ କରି କହିଛନ୍ତି ସୁଭଦ୍ରା ଯୋଜନା ଓଡ଼ିଶା ବିକାଶର ମୂଳପିଣ୍ଡ ହେବ ।
‘ସୁଭଦ୍ରା’ ପାଇଁ ଅସମ୍ଭାଳ ଭିଡ଼ । ଆବେଦନ ପାଇଁ ଆଧାର କାର୍ଡ ସହ ମୋବାଇଲ ନଂବର ସଂଯୋଗ ଜରୁରୀ । ତେଣୁ ମୋ ସେବା ଓ ଜନସେବା କେନ୍ଦ୍ରରେ ଆଧାର କାର୍ଡ ସଂଶୋଧନ ପାଇଁ କିଏ ରାତିରୁ ଧାଡ଼ିରେ ଲାଗିଛି ତ କିଏ ଭୋରରୁ ଆସି ଭିଡ଼ ଜମାଇଛି । ସେପଟେ ସୁଭଦ୍ରା ଫର୍ମ ମିଳିବା ଆରମ୍ଭ ହୋଇଥିବାରୁ ଲୋକଙ୍କ ଉତ୍ସାହ ବଢ଼ିଛି । ନିର୍ଦ୍ଧାରିତ କେନ୍ଦ୍ର ଆଗରେ ଗହଳି ଜମିଛି । କିଏ ଆଧାର ସଂଶୋଧନ ପାଇଁ ତ କିଏ ଫର୍ମ ପାଇଁ ଅପେକ୍ଷା କରି ରହିଛନ୍ତି । ପୋଷ୍ଟ ଅଫିସ, ମୋ ସେବା ଓ ଜନସେବା କେନ୍ଦ୍ର, ଅଙ୍ଗନୱାଡି କେନ୍ଦ୍ର ଖୋଲିବା ମାତ୍ରେ ଲୋକଙ୍କ ଧାଁ ଦୌଡ଼ ଆରମ୍ଭ ହୋଇଯାଉଛି ।
ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଫର୍ମ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ସଂପୂର୍ଣ୍ଣ ଦେୟମୁକ୍ତ ହୋଇଥିବା ବେଳେ କିଏ ଟଙ୍କା ଦାବି କଲେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପୂର୍ବରୁ ଚେତେଇ ଦେଇଛନ୍ତି ।