କନକ ବ୍ୟୁରୋ :  ରାୟଗଡ଼ା ବିଲେଷୁ ସରକାରୀ ଉଚ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ଡଃ. ଦ୍ୱିତୀ ଚନ୍ଦ୍ର ସାହୁ। ନିଜର ନିଷ୍ଠା ପାଇଁ ଦିଲ୍ଲୀ ଦରବାରରେ ପରିଚିତ। ୨୩ ବର୍ଷର ସଂଘର୍ଷରୁ ମିଳିଛି ସଫଳତା। ଜନଜାତି ପିଲାଙ୍କୁ ସେମାନଙ୍କ ସଂସ୍କୃତି ଓ ପରମ୍ପରା ମାଧ୍ୟମରେ ଶିକ୍ଷାଦାନ କରି ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପାଇଁ ଚୟନ ହୋଇଛନ୍ତି। ସେପ୍ଟେମ୍ବର ୫ରେ ଗୁରୁ ଦିବସରେ ଦିଲ୍ଲୀ ବିଜ୍ଞାନ ଭବନରେ ଦ୍ୱିତୀ ସାରଙ୍କୁ ସମ୍ମାନିତ କରିବେ ମହାମହିମ ରାଷ୍ଟ୍ରପତି। ଏକଥା ଜଣାପଡ଼ିବା ପରେ ନିଜ ବିଦ୍ୟାଳୟ ସମେତ ଜିଲ୍ଲା ଓ ଜିଲ୍ଲା ବାହାରୁ ଶୁଭେଚ୍ଛାର ସୁଅ ଛୁଟିଛି।

Advertisment

 ରାୟଗଡା ପଦ୍ମପୁର ବ୍ଳକର ଦ୍ୱିତୀ ଚନ୍ଦ୍ର ୨୦୦୧ରୁ ଶିକ୍ଷକତା କରୁଛନ୍ତି। ଜନଜାତି ପିଲାଙ୍କୁ ବିଦ୍ୟାଳୟ ମୁହାଁ କରିବା ସହ ଅଭିନବ ପଦ୍ଧତିରେ ଶିକ୍ଷାଦାନ ଲାଗି ନିଆରା ଶିକ୍ଷଣ ପ୍ରକ୍ରିୟା ଉଦ୍ଭାବନ କରି ସବୁ ସ୍ତରରେ ଚର୍ଚ୍ଚିତ ଥିଲେ। ସାହିତ୍ୟର ବିଭିନ୍ନ ବିଭାଗରେ ୧୮ଟି ପୁସ୍ତକ ରଚନା କରିଛନ୍ତି । ଦ୍ୱିତୀ ଚନ୍ଦ୍ର ଏକାଧାରାରେ ଜଣେ ଶିକ୍ଷକ, ସାହିତ୍ୟକ, ସ୍ତମ୍ବକାର, କ୍ଷୁଦ୍ର ଚଳଚିତ୍ର ନିର୍ଦ୍ଧେଶକ ଓ ଗୀତିକାର ଭାବେ ପରିଚିତ। ଜନଜାତି ଶିକ୍ଷା, ଜନଜାତି ସଂସ୍କୃତି ଓ ଗବେଷଣାରେ ତାଙ୍କର ଅନେକ ଅବଦାନ ରହିଛି। ତେଣୁ ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁବାର ସମ୍ମାନୀତ ହୋଇଛନ୍ତି।

ରାୟଗଡା ଜିଲ୍ଲାର ଲାଞ୍ଜିଆ ଶୌରାଙ୍କ ଇଡ୍ତାଲ ଓ ଡଙ୍ଗରିଆ କନ୍ଧଙ୍କ କପଡ଼ାଗୁନ୍ଦା  ସଂସ୍କୃତି ଓ ଚିତ୍ରକଳା ବିଷୟ ବସ୍ତୁକୁ ସଂଯୋଜିତ କରି ବିଦ୍ୟାଳୟ ଶ୍ରେଣୀଗୃହକୁ ଆଣିଥିଲେ। ଫଳରେ ଛାତ୍ରଛାତ୍ରୀ  ଗଣିତ, ସାମାଜିକ ପାଠ ଓ ଭାଷା ସାହିତ୍ୟକୁ ସହଜରେ ପଢ଼ିପାରୁଥିବା ସହ ବୁଝିପାରୁଛନ୍ତି। ଶିକ୍ଷକଙ୍କ ଏଭଳି ଶିକ୍ଷାଦାନକୁ ପିଲାମାନେ ପ୍ରଶଂସା କରୁଥିବା ବେଳେ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି ।