କନକ ବ୍ୟୁରୋ: ୧୯୮୪ ମସିହାରେ ଶେଷ ଥର ପାଇଁ ନୂଆ ବ୍ଲକ ଗଠନ କରିଥିଲେ ଓଡ଼ିଶା ସରକାର।  ୩୦୪ ବ୍ଲକରୁ ହୋଇଥିଲା ୩୧୪ ବ୍ଲକ, ହେଲେ ଏହା ଭିତରେ ଦୀର୍ଘ ୪୦ ବର୍ଷ ବିତିଗଲାଣି କିନ୍ତୁ ନୂଆ ବ୍ଲକ ଗଠନ ହୋଇପାରିନାହିଁ । ଏନେଇ ଅନେକବାର ଦାବି ଉଠିଛି, ବିଭିନ୍ନ ସଂଗଠନ ରାଜରାସ୍ତାକୁ ଆସିଛନ୍ତି, ବିଧାନସଭାରେ ମଧ୍ୟ ସରଗରମ ଆଲୋଚନା ହୋଇଛି । ହେଲେ, ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ ଯୋଗୁ ନୂଆଁ ବ୍ଲକ ଗଠନ ହୋଇପାରିନି । ଏବେ ନୂଆ ସରକାର ନୂଆ ବ୍ଲକ ଗଠନ କରିବା ପାଇଁ ପାଦେ ଆଗକୁ ବଢିଛନ୍ତି । ଏନେଇ ବଡ଼ ସୂଚନା ଦେଇ କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । 

Advertisment

ଗଠନ ହେବ ନୂଆ ବ୍ଲକ !  
-    ରାଜ୍ୟରେ ବ୍ଲକ ବିଭାଜନ ଆରମ୍ଭ ହେବ
-    ବ୍ଲକ ବଢିବାର ଆବଶ୍ୟକତା ରହିଛି
-    ଏ ସଂକ୍ରାନ୍ତରେ ପଞ୍ଚାୟତରାଜ ବିଭାଗ ସହିତ ଆଲୋଚନା ହୋଇଛି
-    ଦୁଇଟି ରାଉଣ୍ଡରେ ସଚିବଙ୍କ ସହିତ ମଧ୍ୟ ଆଲୋଚନା ହୋଇସାରିଛି
-    ସୁଶାସନ ଓ ଗରିବ କଲ୍ୟାଣ ପାଇଁ ବ୍ଲକ ବିଭାଜନର ଆବଶ୍ୟକତା ରହିଛି
-    ନୂଆ ବ୍ଲକ ଗଠନ ପାଇଁ କମିସନର ଆବଶ୍ୟକତା ରହିଛି
-    କମିସନ ହିଁ ନୂଆ ବ୍ଲକର ମାନଦଣ୍ଡ ତିଆରି କରିପାରିବେ 
-    ଯାହାଫଳରେ ସୁରୁଖୁରରେ ବ୍ଲକ ବିଭାଜନ ହୋଇପାରିବ

ରାଜ୍ୟର ଅନେକ ବଡ଼ ବଡ଼ ବ୍ଲକ ରହିଛି । କେଉଁଠି ୪୦ ଟି ତ ଆଉ କେଉଁଠି ୩୫ଟି ପଞ୍ଚାୟତ ରହିଛି । ଯେମିତି, ଯାଜପୁରର ବଡ଼ଚଣାରେ ସର୍ବାଧିକ ୪୩ଟି ପଂଚାୟତ ରହିଛି । ବାଲେଶ୍ବରର ଭୋଗରାଇ, କୋରାପୁଟର ବୋରିଗୁମ୍ମା ଓ ଦଶମନ୍ତପୁର, ଗଜପତିର ମୋହନା ଯେଉଁଠି ୩୯ଟି ପଞ୍ଚାୟତ ରହିଛି, ଝାରସୁଗୁଡାର ଲଖନପୁର ଯେଉଁଠି ୩୩ଟି ପଞ୍ଚାୟତ ରହିଛି । ଇଏ ହେଉଛି ରାଜ୍ୟର ବଡ଼ ବ୍ଲକର ତାଲିକା । ଆଉ ଏହି ବ୍ଲକ ଅଫିସ ସବୁର ଦୂରତା ଗାଁଠାରୁ ୪୦ରୁ ୫୦କିଲୋମିଟର ରହୁଛି । ଯେଉଁଠି ଲୋକଙ୍କୁ ପହଞ୍ଚିବାକୁ ଅନେକ ଅସୁବିଧା ହେଉଛି । କେବଳ ସେତିକି ନୁହେଁ ପ୍ରଶାସନ ମଧ୍ୟ ବେଳେବେଳ ପହଞ୍ଚିପାରୁନି।  

୨୦୧୭ରେ ବିଜେଡି ସରକାର ସମୟରେ ୫୦୦ ନୂଆ ପଞ୍ଚାୟତ ଗଠନ କରାଯାଇଥିଲା । ହେଲେ ୨୪ ବର୍ଷ ଶାସନ କାଳରେ ନୂଆ ବ୍ଲକ ନେଇ କୌଣସି ନିଷ୍ପତ୍ତି ନେଇପାରିନଥିଲେ । ୧୯୫୮ ମସିହାରେ ରାଜ୍ୟରେ ୧୨୪ଟି ବ୍ଲକ ରହିଥିଲାବେଲେ ୧୯୬୧କୁ ଏହି ସଂଖ୍ୟା ୨୧୪ ଛୁଇଁଥିଲା । ପରେ ୧୯୮୪ରେ ରାଜ୍ୟର ବ୍ଲକ ସଂଖ୍ୟା ୩୧୪ ହୋଇଥିଲା । ଲୋକସଂଖ୍ୟା ବଢିବା ସତ୍ବେ ସେବେଠୁ ସେହି ଅନୁପାତରେ ବ୍ଲକ ସଂଖ୍ୟା ବୃଦ୍ଧି କରାଯାଇନାହିଁ।