କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ପାଟି ସୁଆଦ ଯୋଗୁଁ ଜଙ୍କ ଫୁଡ୍, ଫାଷ୍ଟ ଫୁଡରୁ ମୁହଁ ଫେରାଇ ପାରୁନଥିବା ଯୁବପିଢ଼ି ପାଇଁ ସ୍ବାସ୍ଥ୍ୟ ଉପଯୋଗୀ ହେଲଦି ନ୍ୟୁଟ୍ରିସନ୍ ଫୁଡ୍ ଷ୍ଟଲ୍ ଆରମ୍ଭ କରିଛନ୍ତି ତିନି ସାଙ୍ଗ ।  ଓଟସ, ରେଡ୍ କ୍ୟାପସିକମ୍, ଚାଇନିଜ୍ କୋବି, ଅଲିଭ ଅଏଲ, ବ୍ରାଉନ ରାଇସ, ବ୍ରାଉନ ବ୍ରେଡ,  ଡ୍ରାଏ ସାଲାଡ଼, ଗାଜର ଉପମା,  ସୁଆଁ ଉପମା ପ୍ରସ୍ତୁତ କରି ବିକ୍ରି କରୁଛନ୍ତି କଟକର ଲଗ୍ନଜିତ୍, ଦିପକ ଓ ପ୍ରିତୁ । ଏମାନେ ସମସ୍ତେ ଉଚ୍ଚଶିକ୍ଷିତ । କୋଭିଡ ପୂର୍ବରୁ ବିଭିନ୍ନ କମ୍ପାନୀରେ କାମ କରୁଥିଲେ । ତିନି ବର୍ଷ ତଳେ ୪ ଲକ୍ଷ ଟଙ୍କା ବିନିଯୋଗ କରି ଆରମ୍ଭ କରିଥିଲେ ବ୍ୟବସାୟ । ଧୀରେ ଧୀରେ ଏଭଳି ନ୍ୟୁଟ୍ରିସନ୍ ଫୁଡ୍ ପ୍ରତି ଆଗ୍ରହ ବଢିଲା । ଅନଲାଇନରେ ମଧ୍ୟ ଏହି ଫୁଡ୍ ହୋମ ଡେଲିଭରି ସୁବିଧା ରହିଲା ।  ଏବେ ଏହି ବ୍ୟବସାୟ ଭଲ ଲାଭ ହେଉଛି ।

Advertisment

ଦୈନିକ କଟକ ଶିଖରପୁର ଛକ ନିକଟରେ ଦିନ ୧୦ରୁ ରାତି ୯ ଯାଏଁ କାମ କରନ୍ତି ତିନି ସାଙ୍ଗ । ଫିଟ୍ ଫୁଡ୍ ହବ୍ ନାଁରେ ହାଇଜେନିକ୍ ଉପାୟରେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ ହେଉଛି । ପ୍ୟାକିଙ୍ଗ ହେଉଛି ତା ପରେ ଡେଲିଭରି ପାଇଁ ଯାଉଛି ।  ୪ ଲକ୍ଷ ଟଙ୍କାରେ ଆରମ୍ଭ  ହୋଇଥିବା ଏହି ବ୍ୟବସାୟରୁ ଏବେ ତିନି ସାଙ୍ଗ ରୋଜଗାର ପାଉଛନ୍ତି । ଆଗକୁ ଏଭଳି ଖାଦ୍ୟ ପ୍ରତି ଲୋକଙ୍କ ଚାହିଦାକୁ ନଜରରେ ରଖି ଆଉ ଏକ ଆଉଟଲେଟ୍ ମଧ୍ୟ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ।  କୋଭିଡ ସମୟରେ ଚାକିରି ଛାଡ଼ି ନିଜେ କିଛି କରିବା ଏତେ ସହଜ ନଥିଲା । ତଥାପି ଏଭଳି ନିଷ୍ପତ୍ତି ନେଇ ଧର୍ଯ୍ୟର ସହ ବ୍ୟବସାୟ କରିବାରୁ ବଜାରରେ ତାର ଚାହିଦା ବଢ଼ିଛି । ତିନି ବର୍ଷ ହେଲା ଏହି  ବ୍ୟବସାୟ ଭଲ ଚାଲିଥିବା କହିଛନ୍ତି ଲଗ୍ନଜିତ୍ ଆଉ ତାଙ୍କ ଦୁଇ ସହଯୋଗୀ ଦୀପକ ମହାପାତ୍ର ଓ ପ୍ରୀତୁ ମହାପାତ୍ର ।

 ଚାକିରି ଛାଡ଼ି ବ୍ୟବସାୟରୁ ସଫଳତା ମିଳିବ କି ନାହିଁ ଏହି ଦ୍ବନ୍ଦରେ ଅନେକ ଅଛନ୍ତି । ଯାହାଙ୍କ ଆତ୍ମନିର୍ଭରଶିଳ ହେବା ସ୍ବପ୍ନ ବାସ୍ତବ ରୂପ ନେଇପାରୁ ନାହିଁ । କଟକର ଶିକ୍ଷିତ ଯୁବକଙ୍କ ଆତ୍ମନିର୍ଭରଶିଳ ହେବା କାହାଣୀ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ  ନିଶ୍ଚୟ ।