କନକ ବ୍ୟୁରୋ : ନବୀନଙ୍କ ଟାର୍ଗେଟରେ ବିଜେପି। ମିଛ କଥା କହି ନିର୍ବାଚନ ଜିତାଯାଇପରେ କିନ୍ତୁ ହୃଦୟ ନୁହଁ ।  ଦଳର ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ କରି ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେଡି ସଭାପତି । ପୂର୍ବକଥାକୁ ଦୋହରାଇବା ସହ ନବୀନ କହିଛନ୍ତି ବିଜେଡି କାମରେ ବିଶ୍ବାସ କରେ । ୨୪ ବର୍ଷରେ ଓଡ଼ିଶାର ବିକାଶ ପାଇଁ ଅନେକ କାମ କରିଛି ବିଜେଡି ।   ଶିକ୍ଷା,  ସ୍ୱାସ୍ଥ୍ୟ,  ମହିଳା,  ଆଦିବାସୀଙ୍କ ବିକାଶ ହୋଇଛି । ୨୦୦୦ ମସିହାରେରେ ଓଡ଼ିଶାରେ ଗରୀବି ୭୦% ଥିଲା ଯାହା ଏବେ ୧୦ ପ୍ରତିଶତକୁ ଖସିଆସିଛି । ମୁଣ୍ଡ ପିଛା ଆୟ ମଧ୍ୟ ବଢିଛି ।  ଡବଲ ଇଞ୍ଜିନ ରାଜ୍ୟ ଠାରୁ ଓଡିଶା ଆଗରେ ରହିଛି । କିନ୍ତୁ ନିର୍ବାଚନ ବେଳେ ହାତୀ ଦବୁ ଘୋଡା ଦବୁ କହିଥିଲା ।  ଏବେ ନୂଆ ସରକାର ବିଏସକେୱାଇ ନାଁ ବଦଳାଇ ଦେଇଛନ୍ତି । ବିଜେପି ନାଁ ଆଉ ରଙ୍ଗ ବଦଳାଇପାରେ କିନ୍ତୁ ଲୋକ ସବୁ ଜାଣିଛନ୍ତି ।  ମାଗଣା ୩୦୦ ୟୁନିଟ୍ ବିଜୁଳି, ୫୦ ହଜାର ଟଙ୍କା କେତେ ଜଣ ପାଇଲେଣି ବୋଲି ନବୀନ ପ୍ରଶ୍ନ କରିଛନ୍ତି । ସରକାରୀ କର୍ମଚାରୀ ରାଜଭବନରେ ବି ସୁରକ୍ଷିତ ନୁହଁନ୍ତି ।  ବିଜେଡି ହୃଦୟରେ ଅଛି ସବୁବେଳେ ରହିବ । ଲୋକଙ୍କ ସହ ଯୋଡ଼ି ହେବା ପାଇଁ ପଦଯାତ୍ରାରେ ଶକ୍ତିଶାଳୀ ମାଧ୍ୟମ ।  ଏହାକୁ ବିଜେଡି ସାମାଜିକ ଆନ୍ଦୋଳନରେ ପରିଣତ କରିଛି। ଆଜି ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଜନସମ୍ପର୍କ ପଦଯାତ୍ରାର ଆରମ୍ଭ କରିବା ଅବସରେ ଏଭଳି କହିଛନ୍ତି ନବୀନ ।

Advertisment

ସେପଟେ ନବୀନଙ୍କ ଏଭଳି ମନ୍ତବ୍ୟ ଉପରେ ଜବାବ ରଖିଛି ବିଜେପି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ନବୀନ ବାବୁ ଏବେ ବି ମିଛ ସାହାରା ନେଉଛନ୍ତି। ବିରୋଧୀ ଦଳ ହେବାକୁ ଅଭ୍ୟାସ କରନ୍ତୁ । ୧୦୦ ଦିନର ସରକାରକୁ କହୁଛନ୍ତି କିନ୍ତୁ ୨୪ ବର୍ଷର କଥାକୁ ଭୁଲି ଯାଉଛନ୍ତି। ନୂଆ ସରକାରଙ୍କ ବିକାଶକୁ ଗ୍ରହଣ କରନ୍ତୁ ଅସହିଷ୍ଣୁତା ହୁଅନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛି ବିଜେପି । 

ଏସବୁ ବୟାନବାଜି ଭିତରେ କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । କଂଗ୍ରେସ ନେତା ମହମ୍ମଦ ମୋକିମ୍ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ।  ସେ କହିଛନ୍ତି ବିଗତ ଦିନରେ ବିଜେଡି ଏବଂ ବିଜେପି ସରକାରରେ ଥିଲେ ।  ସେମାନଙ୍କର ମିଳିତ ସରକାର ସମୟରେ କନ୍ଧମାଳ ଦଙ୍ଗା ସାରା ଭାରତବର୍ଷକୁ ଦୋହଲାଇ ଦେଇଥିଲା । ସେଥିପାଇଁ ଉଭୟ ଦଳ ନିଜର ଉଦ୍ୟେଶ ସାଧନ ପାଇଁ କାର୍ଯ୍ୟ କରୁଛନ୍ତି । ଉଭୟ ଉଭୟଙ୍କ ଉପରେ ଆରୋପ ଲଗାଉଛନ୍ତି।  କଂଗ୍ରେସ ଦଳ ଆହ୍ୱାନ ଦେଉଛି ଗାନ୍ଧୀଜୀଙ୍କ ଆଦର୍ଶରେ ଉଭୟ ଦଳ ଆଗକୁ ବଢିବା ଉଚିତ । ଉଭୟ ବିଜେଡି ଏବଂ ବିଜେପି ଯେଉଁ ସଭ୍ୟ ସଂଗ୍ରହ ଅଭିଯାନ କରୁଛନ୍ତି ଏହା ପ୍ରଭାବ ହୀନ। ବିଜେଡି ଦଳରେ ଏବେ ସବୁ ଠିକ ନାହିଁ।  ବିଶୃଙ୍ଖଳା ଚରମ ସୀମାରେ ପହଂଚିଛି । ସଭାପତିଙ୍କର କର୍ତ୍ତୃତ ଦଳରେ ଆଉ ରହୁନାହିଁ। ଆଗାମୀ ଦିନରେ କଂଗ୍ରେସ ଦଳ ସହ ଅନେକ ନେତା ଯୋଡି ହେବେ । କଂଗ୍ରେସ ଦଳ କେବେବି ବିଜେଡି ସହ ମେଣ୍ଟ କରିବ ନାହିଁ । ନିଜ ବଳରେ ବଳିୟାନ ହେବା ପାଇଁ କଂଗ୍ରେସ ଦଳ ଚିନ୍ତା କରିଛି। ଏନେଇ କାର୍ୟ୍ୟକ୍ରମ ମଧ୍ୟ ଜାରି ରଖିଛି । ବିଜେଡି କେବଳ ସରକାରକୁ ଫେରିବା ପାଇଁ ଏଭଳି ଦିବାସ୍ବପ୍ନ ଦେଖୁଛି ।