କନକବ୍ୟୁରୋ: ଲଗାଣ ବର୍ଷାରେ ମାଲକାନଗିରି କାଲିମେଳା ସ୍ଥିତି ବେହାଲ। ଗତ ୨୪ ଘଣ୍ଟାରେ କାଲିମେଳାରେ ୧୨୭ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି । ଯାହାଫଳରେ ସବୁଆଡ଼େ ଜଳମଗ୍ନ ସ୍ଥିତି ଦେଖାଦେଇଛି । କାଙ୍ଗୁରୁକୋଣ୍ଡା ପୋଲ ଉପରେ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ବିଛିନ ହୋଇପଡିଛି । ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ରହିଛି । କାଙ୍ଗୁରୁକୋଣ୍ଡା ଛକରେ ଥିବା ଦୋକାନ ଘର ଗୁଡ଼ିକରେ ପାଣି ପଶିଯାଇଛି ।

Advertisment

ସେହିପରି କନ୍ୟାଶ୍ରମ ପୋଲ ବି ବୁଡିଯାଇଛି । ପୋଲ ଉପରେ ୫ଫୁଟର ବନ୍ୟାଜଳ ପ୍ରବାହିତ , ଫଳରେ କାଲିମେଳାରୁ ଛତିଶଗଡକୁ ଯୋଗାଯୋଗ  ବିଚ୍ଛିନ୍ନ ହୋଇଛି । ସେପଟେ ପୋଟେରୁ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେବା ସହ ବଜାର ଭିତରେ ଲହଡି ଭାଙ୍ଗୁଛି ବନ୍ୟା ଜଳ । ଲଗାଣ ବର୍ଷା ଯୋଗୁଁ କାଲିମେଳା ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇପଡିଛି । ଗତ ୨୪ ଘଣ୍ଟା ହେଲା କାଲିମେଳାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତ୍ୟବ୍ୟସ୍ତ ହୋଇପଡିଛି । ସେହିପରି ମାଟି ଅତଡା ଧସି ଚିତ୍ରକୋଣ୍ଡା ଘାଟିରେ ରାସ୍ତା ଅବରୋଧ ହୋଇଛି। ବାଲିମେଳା, ମାଲକାନଗିରି ଓ ଜୟପୁରକୁ ଯୋଗଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।

ସେପଟେ ମାଲକାନଗିରିରେ ଲଗାଣ ବର୍ଷା। ଚାରି ଆଡେ ପାଣି ଆଉ ପାଣି। ବାହ୍ୟ ଜଗତରୁ ବିଚ୍ଛିନ୍ନ ମାଲକାନଗିରି ଜିଲ୍ଲା। ପ୍ରବଳ ବର୍ଷା ଯୋଗୁ ପୋଟେରୁ ପୋଲ ଉପରେ ୧୦ ଫୁଟ ପାଣି ଚାଲୁଛି। ଗତକାଲି ରାତି ସାରା ବର୍ଷା ପରେ ଆଜି ସକାଳେ ବି ବର୍ଷା ଜାରି ରହିଛି। ଜିଲ୍ଲାର ପାଙ୍ଗାମ ପୋଲ ଉପରେ ବି ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ତାମସା, କାଙ୍ଗୋରୁକୋଣ୍ଡା, ବଦଲି ପୋଲ ଉପରେ ବି ପାଣି ଚାଲୁଛି। ଏମଭି ୯୬,  ଏମଭି ୯୦,  କନ୍ୟାଶ୍ରମ ପୋଲ ଉପରେ ୧୦ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ପାଙ୍ଗାମ ପୋଲି ଉପରେ ପାଣି ଚାଲୁଥିବାରୁ ମାଲକାନଗିରି- ଜୟପୁର ମୁଖ୍ୟରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ୩୨୬ ନମ୍ବର ଜାତୀୟ ରାଜପଥ ସଂଯୋଗ କରୁଥିବା ପାଙ୍ଗାମ ବ୍ରିଜରେ ବନ୍ୟାପାଣି ଚାଲୁଥିବାରୁ ଯୋଗାଯୋଗ ଏକପ୍ରକାର ଠପ୍ ହୋଇପଡିଛି। ସ୍ବାଭିମାନ ଅଞ୍ଚଳରେ ମଧ୍ୟ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ବେଜିଂ ଗ୍ରାମରେ ଥିବା ପୋଲ ଉପରେ ବନ୍ୟା ଜଳ ପ୍ରଭାବିତ ହେଉଛି। ଯାହା ଫଳରେ ଅଣ୍ଡ୍ର।ପାଲି, ଯନ୍ତ୍ରୀ ଗ୍ରାମ ପଞ୍ଚାୟତ ସମେତ ପଣସପୁଟର ପଞ୍ଚାୟତର କିଛି ଗାଁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଅନ୍ୟପଟେ ଲଗାଣ ବର୍ଷା ଯୋଗୁ ବଣ୍ତାଘାଟିର ମୁଖ୍ୟରାସ୍ତା ଉପରେ ପଥର ପଡିଥିବାରୁ ୨ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିଲା। ରାତି ସାରା ପ୍ରଶାସନର ଉଦ୍ୟମରେ ମାଙ୍କଡଝୋଲା ଠାରେ ରାସ୍ତା ଉପରେ ପଡିଥିବା ବଡ ବଡ ପଥରକୁ ପି ଡବ୍ଲଡି ବିଭାଗ ତରଫରୁ ଲୋକଙ୍କୁ ଲଗାଇ ରାସ୍ତା ସଫା କରାଯାଇଛି। ରାତି ଯାଏଁ ବଣ୍ତାଘାଟିର ରାସ୍ତା ଯୋଗାଯୋଗ ସମ୍ଭବ କରିବାକୁ ଉଦ୍ୟମ ହୋଇଥିଲା। ଲଗାଣ ବର୍ଷାରେ ଅନେକ ଗାଁରେ ଲୋକଙ୍କ ଘର ଭାଙ୍ଗିଯାଇଥିବାବେଳେ ଚାଷଜମି ସବୁ ବାଲିଚର ହୋଇଛି।

ସେପଟେ ମାଲକାନିରିରେ ତମସା ନଦୀରେ ଫସି ରହିଥିଲେ ୩ଜଣ । ତେବେ ସେମାନଙ୍କୁ  ୩ ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ମାଲକାନଗିରି ସହର ମହକୁମା ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ରାତିରେ କୁକୁଡ଼ା ଜଗିଥିବା ବେଳେ ପାଣି ମାଡ଼ି ଆସିବାରୁ ଜଣେ ଚାଷୀ ଫସି ରହିଥିଲେ । ପରେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଦୁଇ ଜଣ ମଧ୍ୟ ପ୍ରଖର ସ୍ରୋତରେ ଫସି ଯାଇଥିଲେ । ଘଟଣା ଜଣାପଡ଼ିବା ପରେ ଅଗ୍ନିଶମ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ।