କନକ ବ୍ୟୁରୋ : ବାଲେଶ୍ବରରେ ଗୋ-ମାଫିଆଙ୍କ ଆତଙ୍କରାଜ। ସୋର ଶ୍ରୀଜଙ୍ଗ ଛକରେ ମୁହାଁମୁହିଁ ହୋଇଛନ୍ତି ଦୁଇଗୋଷ୍ଠୀ। ଢେଲାପଥର ମାଡ଼ ସହ ଗୁଳି ମାଡ଼ ହୋଇଛି। ଏହା ସହ ସାଧାରଣ ଲୋକଙ୍କ ଗାଡ଼ି ଜାଳି ଦିଆଯାଇଛି। ବିଳମ୍ବରେ ପହଁଚିବାରୁ ପୁଲିସ ଗାଡ଼ି ଭଙ୍ଗାରୁଜା ଓ ରାସ୍ତାରୋକ କରାଯାଇଛି। ଖନ୍ତାପଡା ଥାନା ଶ୍ରୀଜଙ୍ଗ ଛକରେ ଗତକାଲି ବିଳମ୍ବିତ ରାତିରେ ବେଆଇନ ଗୋରୁ ଗାଡି ଚାଲାଣ ବେଳେ ଏପରି ଘଟଣା ଘଟିଛି। ଗୋ ମାଫିଆ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବାବେଳେ ଭୟଭୀତ ହୋଇ ଗୋରୁ ଗାଡି ରାସ୍ତା ପାର୍ଶ୍ଵରେ ଥିବା ଏକ ସେଲୁନ ଉପରେ ଚଢି ଯିବାରୁ ଦୋକାନ ସମ୍ପୂର୍ଣ ନଷ୍ଟ ହୋଇଛି। ଏହି ସମୟରେ ଗୋରୁ ମାଫିଆ ମାନେ ଆସି ଉପସ୍ଥିତ ଲୋକଙ୍କ ୫ ମଟରସାଇକେଲ ଓ ଏକ କାରକୁ ଭାଙ୍ଗିବା ସହ ବନ୍ଧୁକ ଦେଖାଇ ଗୋରୁ ଗାଡି ଛଡାଇ ନେଇଛନ୍ତି। ପରେ ଖନ୍ତାପଡ଼ା ପୋଲିସ ପହଂଚି ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ବେଳେ ସାଧାରଣ ଲୋକଙ୍କ ଦ୍ୱାରା ୩ ଜଣ ଅଟକଙ୍କୁ  ପୋଲିସ ଜିମା ଦେଇଛନ୍ତି। ତେବେ ଲୋକଙ୍କ ଦ୍ୱାରା ନ୍ୟାୟ ଦାବିରେ ରାସ୍ତା ଅବରୋଧ କରାଯାଇଛି। ଖନ୍ତାପଡ଼ା, ସଦର ଓ ଟାଉନ ଥାନା ଆଇଆଇସି ଓ ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି।