କନକ ବ୍ୟୁରୋ :  ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୁରୁବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭେଟିଛନ୍ତି । ଏହି ସୌଜନ୍ୟମୂଳକ ସାକ୍ଷାତ ଅବସରରେ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ-୨୦୩୬ ପୁସ୍ତିକା ପ୍ରଦାନ କରିଛନ୍ତି । ପୂର୍ବାହ୍ନରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଥିଲେ । ଏହି ଅବସରରେ ଓଡ଼ିଶା ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି । ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ, ସେମିକଣ୍ଡକ୍ଟର ଶିଳ୍ପ ଓ ଆଇଟି କ୍ଷେତ୍ରର ପ୍ରସାର ଆଦି ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି । ସେହିପରି କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲଖଟ୍ଟରଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ସହ  ଅବସରରେ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ-୨୦୩୬ ପୁସ୍ତିକା ଦେଇଛନ୍ତି । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ଭେଟି ଓଡ଼ିଶା ସମ୍ୱନ୍ଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚର୍ଚ୍ଚା କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ପରିବେଶ ସୁରକ୍ଷା, ବନ ସଂରକ୍ଷଣ, ଜଳବାୟ ଅନୁକୂଳ ଓ ବୃହତ୍ତର ବିକାଶ ଆଦି ବିଷୟଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ।