କନକ ବ୍ୟୁରୋ: ମହାମାୟାଙ୍କ ମହାଷ୍ଟମୀ। ସବୁଠି ପୂଜାର ମାହୋଲ। ମଣ୍ଡପରେ ଅଷ୍ଟମୀ ପୂଜା ଓ ଶକ୍ତିପୀଠରେ ନବମୀ ପୂଜା କରାଯାଇଛି । ମା’ ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ଗାଁଠୁ ସହର । ରଙ୍ଗୀନ ଆଲୋକମାଳା, ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୂଜା ମଣ୍ଡପ । କେବଳ କଟକ, ଭୁବନେଶ୍ୱର ନୁହେଁ, ସାରା ରାଜ୍ୟରେ ଭକ୍ତିମୟ ପରିବେଶ ।
ମା’ଙ୍କ ଆଗମନରେ ସବୁଠି ଭକ୍ତିମୟ ପରିବେଶ। ଶକ୍ତିପୀଠ ଗୁଡିକରେ ମହାମାୟାଙ୍କ ମହାନବମୀ ପୂଜା ସାଙ୍ଗକୁ ପୂଜା ମଣ୍ଡପରେ ଅଷ୍ଟମୀ ପୂଜା। କଟକ ବାଖରାବାଦ୍ ପୂଜା ମଣ୍ଡପ। ଏଠାରେ ପୂଜା ପାଉଛନ୍ତି ଭାରତମାତା । ଭାରତ ସ୍ୱାଧୀନ ହେବା ଦିନଠାରୁ ବାଖରାବାଦ ପୂଜା ମଣ୍ଡପରେ ପୂଜା ପାଇ ଆସୁଛନ୍ତି ଭାରତ ମାତା। ଏଠାରେ ପ୍ରତିବର୍ଷ ଭାରତମାତାଙ୍କୁ ଶ୍ରୀଦୁର୍ଗାଙ୍କ ରୂପରେ ପୂଜା କରାଯାଉଛି। ଏହି ନିଆରା ପୂଜା ଦେଖିବାକୁ ପ୍ରବଳ ଭିଡ଼ ଜମୁଛି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ଆଖିଝଲସା ତୋରଣ ନିର୍ମାଣ କରାଯାଇଛି।
କେବଳ ଟ୍ୱିନ୍ ସିଟି ନୁହେଁ, ପୂଜା ପାଇଁ ସବୁଠି ଉତ୍ସବର ମାହୋଲ। ଜୟପୁରର ପାପଡାହାଣ୍ଡିରେ ଆକର୍ଷଣ କରୁଛି ରାମ ମନ୍ଦିର ଷ୍ଟାଇଲରେ ପ୍ରସ୍ତୁତ ତୋରଣ। ପୂଜା ମଣ୍ଡପକୁ ୨୫ ବର୍ଷ ପୂରିଥିବାରୁ ଏଭଳି ଭବ୍ୟ ଆୟୋଜନ କରାଯାଇଛି। ପ୍ରାୟ ୨ ମାସ ଧରି ଚାଲିଥିବା ତୋରଣରେ ନିର୍ମାଣରେ ନିୟୋଜିତ ଥିଲେ ୪୦ଜଣ କାରିଗର । ସେହିପରି ବାରିପଦା ସହରର ତକତପୁରସ୍ଥିତ ଦୁର୍ଗାପୂଜା ମଣ୍ଡପରେ ତୋରଣ ଦେଖିବାକୁ ଲାଗୁଛି ଭିଡ଼। ୧୯୯୯ ମସିହାରେ ଏଠାରେ ଆରମ୍ଭ ହୋଇଥିବା ପୂଜା ଚଳିତ ବର୍ଷ ୨୬ ବର୍ଷରେ ପଦାର୍ପଣ କରିଛି।
ବାଲେଶ୍ୱରରେ ମଦନ ଦାସ୍ ପରିବାରର ନିଆରା ପୂଜା। ଏଠାକାର ପ୍ରତିମା ସାଜସଜ୍ଜା ବଙ୍ଗୀୟ ଢାଞ୍ଚାରେ ଦେଖିବାକୁ ମିଳେ। ପ୍ରତିବର୍ଷ ସମାନ ଢାଞ୍ଚାରେ ମୂର୍ତ୍ତି ତିଆରି କରାଯାଏ। ଦୁର୍ଗା ପୂଜାରେ ଢାକ ବାଜାର ରହିଛି ବଡ଼ ବିଶେଷତ୍ୱ। ମାଲକାନଗିରିରେ ଢାକ ବାଜାର ତାଳେ ତାଳେ ଯେପରି ପୂରା ପରିବେଶ ଦୁଲୁକି ଉଠୁଛି। ଆଉ ଭକ୍ତ ମଧ୍ୟ ଏହାର ତାଳେ ତାଳେ ଝୁମିଯାଉଛନ୍ତି। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବଜାରର ଦୁର୍ଗା ମଣ୍ଡପରେ ପୂଜା ପାଉଛନ୍ତି ମା’ ଦୁର୍ଗା। ପ୍ରାୟ ୭୮ ବର୍ଷ ହେବ ଏହି ପୀଠରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଛି। ଆଉ ମହାଷ୍ଟମୀରେ ଶ୍ରଦ୍ଧାଳୁ ଓ ବ୍ରତଧାରୀଙ୍କର ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଆସନ୍ତାକାଲି ପୀଠରେ ମା’ଙ୍କ ଦଶମୀ ପୂଜା ଥିବା ବେଳେ ମଣ୍ଡପରେ ନବମୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)