କନକ ବ୍ୟୁରୋ: ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ସୀମାନ୍ତବର୍ତ୍ତୀ ଅଞ୍ଚଳ । ମା’ଙ୍କ ପୂଜାରେ ସମର୍ପିତ ହୋଇଛି ମୁସଲମାନ ପରିବାର । ପୁରୋହିତଙ୍କ ମନ୍ତ୍ର ପାଠ ଓ ଘଣ୍ଟ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଛି ପୂଜା ମଣ୍ଡପ । 

Advertisment

ହିନ୍ଦୁ ମୁସଲିମ ଭାଇଚାରା କଥା ତ’ ଆପଣ ଅନେକ ଶୁଣିଥିବେ । ହେଲେ ଏହାର ଶ୍ରେଷ୍ଠ ନିଦର୍ଶନ ଦେଖିବାକୁ ମିଳିଛି ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲ୍ଲା ତିରିଂ ଗାଁରେ । ବେଶ ଧୁମଧାମରେ ଦଶହରା ପାଳନ କରୁଛନ୍ତି ମୁସଲିମ ପରିବାର । ୪୨ ବର୍ଷରେ ପଦାର୍ପଣ କରିଛି ତିରିଂ ମା’ ଦୁର୍ଗାଙ୍କ ପୂଜା । ପୁରୋହିତଙ୍କ ମନ୍ତ୍ର ପାଠ ଓ ଘଣ୍ଟ ହୁଳହୁଳିରେ ପ୍ରକମ୍ପିତ ହେଉଛି ପରିବେଶ । ମା’ଙ୍କୁ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଛି । 

୧୯୮୩ରୁ ତିରିଂ ଗାଁର ଏକ ମୁସଲିମ ପରିବାରର ନବାବ ଖାନ ନିଜ ଘର ସଂଲଗ୍ନ ପଡ଼ିଆରେ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ କରିଥିଲେ । ତାଙ୍କ ଦେହାନ୍ତ ପରେ ବଡ଼ ପୁଅ ମହମ୍ମଦ ଅଲ୍ଲୀ ଖାନ ସାର୍ବଜନୀନ ଦୁର୍ଗାପୂଜା କମିଟି ଗଠନ କରି ପୂଜା ଦାୟିତ୍ୱ ହାତକୁ ନେଇଛନ୍ତି । ତିରିଂ ଗାଁର ଏହି ଦୁର୍ଗା ପୂଜା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ମା’ ଦୁର୍ଗାଙ୍କୁ ପୂଜା କରିଥାନ୍ତି। ଏହି ପୂଜା ଅଞ୍ଚଳରେ ଭାଇଚାରାର ବାର୍ତ୍ତା ବାଣ୍ଟିଥାଏ।