କନକ ବ୍ୟୁରୋ : ମଣ୍ଡପରେ ପୂଜା ପାଉଛନ୍ତି ମା’ଆଦିଶକ୍ତି । ପୀଠରେ ମା’ଙ୍କ ପାଖରେ ଲାଗି ହେଉଛି ନାନାଦି ପ୍ରକାରର ଭୋଗ । ଶକ୍ତିଦାୟିନୀ ମା’ ସନ୍ତାନଙ୍କ ଉପରେ କୃପା କରିବା ପାଇଁ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି । ଅଗଣିତ ସନ୍ତାନ ମଧ୍ୟ ମା’ର ସେବାରେ ଲାଗିଛନ୍ତି । ଘରେ ଘରେ ଚାଲିଛି ନବରାତ୍ରୀ ପୂଜା । ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ପୁରଠୁ ପଲ୍ଲୀ । ଜୟ ମା’ ଦୁର୍ଗା ନାମରେ ପଡୁଛି ଉଠୁଛି ଗଳିକନ୍ଦି । ମହାନବମୀ ଅବସରରେ ନବକନ୍ୟାଙ୍କୁ ପୂଜା କରି ମା’ ନବଦୁର୍ଗାଙ୍କୁ ପ୍ରସନ୍ନ କରୁଛନ୍ତି ଭକ୍ତ । ମମତା,ଶକ୍ତି ,ସମୃଦ୍ଧିର ପରିଚୟ ସୃଷ୍ଟି କରୁଥିବା ନାରୀ ହିଁ ମା’ଦୁର୍ଗାଙ୍କ ପ୍ରତୀକ ବୋଲି ଜାଣୁଛି ସାରା ଜଗତ । କିନ୍ତୁ ଏତେ ସେବା କ’ଣ ଖାଲି ନବରାତ୍ରି ପାଇଁ ? ଗୋଟିଏ ପଟେ ମୃଣ୍ମୟୀ ମା’ଙ୍କ ପାଇଁ ସମସ୍ତେ ବ୍ୟାକୁଳ ଅନ୍ୟପଟେ ଘରେ ମୁଠାଏ ଭାତ ପାଇଁ କେତେ ଗାଳି ଶୁଣୁଛି ଜନ୍ମକଲା ମା’ । ବୃଦ୍ଧାଶ୍ରମରେ ନିଷ୍ଠୁର ସନ୍ତାନକୁ ଝୁରି ଝୁରି ଗୁମୁରି କାନ୍ଦୁଛି ମାତୃତ୍ବ । ଗୋଟିଏ ପଟେ ମହିଷାସୁରମର୍ଦ୍ଦିନୀଙ୍କ ଭଜନ ବୋଲୁଛନ୍ତି ଭକ୍ତ ଆଉ ଗୋଟିଏ ପଟେ ଆସୁରିକ ଶକ୍ତିର ବଶବର୍ତ୍ତୀ ହୋଇ ଝିଅ, ବୋହୂଙ୍କ ଉପରେ ପଡୁଛି କେତେ ଯେ ଲୋଲୁପ ଦୃଷ୍ଟି । ଭଜନ ଭିତରେ ନାରୀଙ୍କ ଚିତ୍କାରର ସ୍ବର କାହାରି କାନରେ ପଡୁନାହିଁ । ମା’ ମେଲାଣି ନେବା ପରି କେତେ ଯେ ନାରୀ ଯୌତୁକ ଜୁଈରେ ଜଳିଛନ୍ତି ତା’ର ଠିକଣା ନାହିଁ । କେତେ ଯୁବତୀ ଦୁଷ୍କର୍ମ , ଗଣଦୁଷ୍କର୍ମର ଶିକାର ହେଉଛନ୍ତି ତା’ର ମଧ୍ୟ ନିଘା ନାହିଁ । ମା’କୁ ପୂଜି ଭକ୍ତ ଜୟ ମା’ ଦୁର୍ଗା ବୋଲି ତ କହୁଛନ୍ତି କିନ୍ତୁ ସେହି ମା’ର ସନ୍ତାନର ନ୍ୟାୟ ପାଇଁ କେହି ଆଗକୁ ଆସୁନାହାନ୍ତି । ପରିବାର କାନ୍ଦୁଛନ୍ତି , ପ୍ରଶାସନ ଚୁପ୍ ରହୁଛି । ଆଉ ପ୍ରତିଥର ଭଳି ଦବିଯାଉଛି ନାରୀର ସ୍ବର । କ’ଣ ମା’ ଏହି ଦୃଶ୍ୟ ଦେଖିବା ପାଇଁ ଧରାପୃଷ୍ଠକୁ ଆସେ ? ମା’ର ମନ କ’ଣ ଛଟପଟ ହୁଏନି ଯେବେ ତା’ର ସନ୍ତାନ ନ୍ୟାୟ ପାଇଁ କାନ୍ଦେ । ପ୍ରଶ୍ନ ତ ଅନେକ କିନ୍ତୁ ଉତ୍ତର କାହା ପାଖରେ …

Advertisment