କନକ ବ୍ୟୁରୋ: କଥାରେ ଅଛି, ଭାଗ୍ୟରେ ଥିଲେ ଠାକୁରଙ୍କ ପ୍ରସାଦ ମିଳେ । ସେହି ପ୍ରସାଦ ଟିକକ ପାଇବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଭଗବାନଙ୍କୁ ଲାଗି ହେଉଥିବା ଭୋଗରେ ବ୍ୟବହାର ହେଉଥିବା ଘିଅ ଅତି ନିମ୍ନମାନର । ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜିଉରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଅପମିଶ୍ରିତ ଘିଅରେ ପ୍ରସ୍ତୁତ ହେଉଛି ପ୍ରଭୁ ବଳଦେବଜିଉଙ୍କ ଠାରେ ଲାଗି ହେଉଥିବା ଭୋଗ। ବଡ଼ କଥା ଏହି ପ୍ରସାଦ ଭକ୍ତଙ୍କୁ ମଧ୍ୟ ଦିଆଯାଉଛି । ଯାହାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କଟକ ମିଲ୍କ ୟୁନିୟନର ମାର୍କେଟିଂ ଇନଚାର୍ଜ ଘିଅର ମାନକୁ ଯାଞ୍ଚ କରିବା ପରେ ଏଥିରୁ ଗନ୍ଧ ବାହାରୁଥିବା ସ୍ବୀକାର କରିଛନ୍ତି ।
ସେପଟେ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ମା’ଙ୍କ ପାଖରେ ବ୍ୟବହାର ହେଉଥିବା ଘିଅରୁ ପ୍ରବଳ ଦୁର୍ଗନ୍ଧ ଆସୁଥିବା ନେଇ ଅଭିଯୋଗ କରିଛନ୍ତି ଶ୍ରଦ୍ଧାଳୁ। ବଡ଼ କଥା ହେଉଛି, ଏହି ଅପମିଶ୍ରିତ ଘିଅ ଓମଫେଡରୁ ଅଣାଯାଉଛି । ଭଣ୍ଡାର ଦାୟିତ୍ୱରେ ଥିବା ଭଣ୍ଡାର ସେବକ ମଧ୍ୟ ଘିଅକୁ ନେଇ ଆପତ୍ତି ଉଠାଇବା ସହ ଜିଲ୍ଲା ପ୍ରଶାସନ ଏଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଅଭିଯୋଗ ପରେ ଜଗତସିଂହପୁର ଫୁଡ୍ ଇନ୍ସପେକ୍ଟରଙ୍କ ସମେତ ୪ଜଣିଆ ଟିମ ନମୁନା ସଂଗ୍ରହ କରି ଏହାର ଯାଞ୍ଚ କରୁଛନ୍ତି ।
ଏଠି ପ୍ରଶ୍ନ ଉଠୁଛି, ଭଗବାନଙ୍କ ପାଖରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ନେଇ କେମିତି ଜାଣିପାରିଲାନି ପ୍ରଶାସନ ? ମନ୍ଦିର ପରିଚାଳନା କମିଟି ପାଖରେ ଏନେଇ ଖବର ଥିଲା ନା ନାହିଁ ? ଏମିତି ଅବହେଳା ପାଇଁ ଦାୟୀ କିଏ ଓ ତାଙ୍କ ବିରୋଧରେ କ’ଣ କାର୍ୟ୍ୟାନୁଷ୍ଠାନ ହେବ ?