cuttack Photograph: (KanakNews )
କନକ ବ୍ୟୁରୋ : କଟକ ଶଙ୍କରପୁର ଜନବସତି ଅଞ୍ଚଳରେ କଲବଲ କରୁଛି ଡମ୍ପିଂୟାର୍ଡ୍ । ନାକଫଟା ଦୁର୍ଗନ୍ଧ ସାଂଗକୁ ବିଭିନ୍ନ ରୋଗ ମଧ୍ୟ ହେଉଛି । ଏହି ସମସ୍ୟା ନେଇ ସ୍ଥାନୀୟ ଲୋକେ ପ୍ରଶାସନ ରୁ ନ୍ୟାୟାଳୟ ଯାଏଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି , ହେଲେ ଜନବସତି ଅଞ୍ଚଳରୁ ଉଠୁ ନାହିଁ ଡମ୍ପିଂୟାର୍ଡ । ଚାରି ବର୍ଷ ହେଲା କଟକ ଶଙ୍କରପୁର ଜନବସତି ଅଞ୍ଚଳରେ ଥିବା ଡମ୍ପିଂୟାର୍ଡ ପାଇଁ ଆକ୍ତାମାକ୍ତା ଲୋକେ । ଦୂର୍ଗନ୍ଧ ସାଙ୍ଗକୁ ସଂକ୍ରମଣ ଯନ୍ତ୍ରଣା ଦେଉଛି। ସ୍ଥାନୀୟ ଲୋକଙ୍କ ବିନା ଅନୁମତିରେ ୨୦୨୦ରୁ ଏଠାରେ ଡମ୍ପିଂୟାର୍ଡ ହୋଇଛି। ତେବେ ଏହି ଡମ୍ପିଂୟାର୍ଡ ଏଠାରେ ରହୁଥିବା ନନ୍ଦ ପରିବାର ପାଇଁ ଦୁଃଖ ଆଣି ଦେଇଛି। ଦୁର୍ଗନ୍ଧ ଯୋଗୁଁ ଛୋଟ ଝିଅ ଓ ଶାଶୁଙ୍କର ପେଟ, ହାର୍ଟ ଓ ଫୁସଫୁସ୍ ସମସ୍ୟା ଦେଖାଦେଲା, ଆଉ ସଂକ୍ରମଣ ଯୋଗୁ ଶେଷରେ ସେମାନେ ଆଖି ବୁଜିଲେ। କେବଳ ଏତିକି ନୁହେଁ, ଏଠାରେ ସବୁବେଳେ ମୁହଁରେ ମାସ୍କ କି କପଡା ଦେବାକୁ ପଡ଼ୁଛି, ନହେଲେ ଦୁର୍ଗନ୍ଧରେ ବାନ୍ତି ହେଇଯିବ। ଥରେ ଭାବନ୍ତୁ କେମିତି ରହୁଥିବେ ଲୋକେ। ଏହି ଦୁର୍ଗନ୍ଧ ଯୋଗୁ ଏଠାରେ କେହି ଭଡ଼ା ରହିବାକୁ ରାଜି ହେଉନାହାଁନ୍ତି। ଘର ବିକ୍ରି କରିବାକୁ ଚାହିଁଲେ ମଧ୍ୟ ଲୋକେ ନେବାକୁ ଅମଙ୍ଗ।
ପୂର୍ବସରକାରଙ୍କ ଦୂର ଦୃଷ୍ଟି ଅଭାବ ଯୋଗୁଁ ଜନବସତି ଅଞ୍ଚଳରେ ଡମ୍ପିଂୟାର୍ଡ୍ ହୋଇଛ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ୨୦୨୨ରେ ସମସ୍ୟା ନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା, ପ୍ରଦୂଷଣ ବିଭାଗ ଓ ମହାନଗର ନିଗମ, ସ୍ଥାନୀୟ ଲୋକଙ୍କୁ ନେଇ ବୈଠକ କରି ଏହାର ସ୍ଥାୟୀ ସମାଧାନ କରନ୍ତୁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିର୍ଦ୍ଦେଶକୁ ଦୁଇବର୍ଷ ବିତିଥିଲେ ମଧ୍ୟ ସମସ୍ୟାର ସମାଧାନ ହେଲା ନାହିଁ। ସେପଟେ ଡମ୍ପିଂୟାର୍ଡର ନିୟମିତ ଦୁର୍ଗନ୍ଧ ଶରୀର ଉପରେ ପ୍ରଭାବ ପକାଏ । ଏହା ଲଙ୍ଗସ୍,ହାର୍ଟ ଓ ବ୍ରେନ୍କୁ ପ୍ରଭାବିତ କରେ । ଡମ୍ପିଂୟାର୍ଡ ଦୂର୍ଗନ୍ଧ ନେଇ ବାରମ୍ୱାର ଗୁହାରି କଲେ ମଧ୍ୟ କେହି ଶୁଣୁନାହାଁନ୍ତି କି ହାଇକୋର୍ଟଙ୍କ ନିର୍ଦେଶକୁ ପାଳନ କରୁନାହାଁନ୍ତି, ତେଣୁ ଆଗକୁ ରାସ୍ତାରୋକ କରି ପ୍ରତିବାଦ କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।
Follow Us