କନକ ବ୍ୟୁରୋ : ଯାଜପୁର ଧର୍ମଶାଳାରେ କ୍ରସର ୟୁନିଟ ଗୁଡିକୁ ଥଇଥାନ ପାଇଁ ଇଡକୋ ପକ୍ଷରୁ ହୋଇଛି କ୍ଲଷ୍ଟର। କିନ୍ତୁ ଜମି ସମସ୍ୟା ଯୋଗୁଁ କ୍ଲଷ୍ଟର କାର୍ୟ୍ୟକ୍ଷମ ହେବା ନେଇ ଦେଖାଦେଇଛି ଦ୍ୱନ୍ଦ। କ୍ରସର ୟୁନିଟ ପାଇଁ ଇଡକୋ କର୍ତୃପକ୍ଷ ଯାଗାଦେବାରେ ଆଗ୍ରହ ଦେଖାଉନଥିବା ଅଭିଯୋଗ କରିଛି କ୍ରସର ମାଲିକ ସଂଘ। ସେପଟେ କ୍ରସର କ୍ଲଷ୍ଟର ଭିତିଭୂମିର ବିକାଶ ନାଁରେ କେବଳ ରାସ୍ତା କରି ଠିକାଦାର ୮ କୋଟିରୁ ଅଧିକ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ ହୋଇଛି । ବିଧାୟକ କହିଛନ୍ତି, ସ୍ଥିରିକୃତ ଜାଗା ନେବା ପାଇଁ କ୍ରସର ମାଲିକ ଆଗ୍ରହ ପ୍ରକାଶ ନକଲେ ସଂପୃକ୍ତ ଜମିକୁ ଶିଳ୍ପ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ।  

Advertisment


ଖଣି ଖାଦାନ ଭରା ଧର୍ମଶାଳାରେ କ୍ରସର ଏକ ପ୍ରମୁଖ ଶିଳ୍ପଭାବେ ଛିଡା ହୋଇଛି । ରାସ୍ତା କଡରେ, ଜନବସତି ଠାରୁ ଅଳ୍ପ ଦୂରରେ କ୍ରସର ୟୁନିଟ ହେବାରୁ ପରିବେଶ ପ୍ରଭାବିତ ହେଉଛି । ସେଗୁଡ଼ିକୁ ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ ପୂର୍ବତନ ସରକାର । ଏହାର ପ୍ରତିବାଦ କରି ୨୦୧୦ରେ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ ଯାଜପୁର ଜିଲ୍ଳା କ୍ରସର ମାଲିକ ସଂଘ । କ୍ରସର ୟୁନିଟକୁ ଥଇଥାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ୨୦୧୭ରେ କ୍ରସର ୟୁନିଟ୍ ଥଇଥାନ ପ୍ରକ୍ରିୟା ଆରମ୍ଭ କରିଥିଲେ ଯାଜପୁର ଜିଲ୍ଳା ପ୍ରଶାସନ। ଧର୍ମଶାଳାର ୪ଟି ସ୍ଥାନରେ ଜମି ଚିହ୍ନଟ କରି ଇଡକୋକୁ ହସ୍ତାନ୍ତର କରାଯାଇଛି । ପ୍ରାଥମିକ ପର୍ୟ୍ୟାୟରେ ୯୯ଜଣ କ୍ରସର ମାଲିକଙ୍କୁ କ୍ଲଷ୍ଟରରେ ସ୍ଥାନ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । କିନ୍ତୁ କ୍ରସର ମାଲିକ ସଂଘ ଓ ଇଡକୋ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାବଣା ଅଭାବରୁ କ୍ଲଷ୍ଟର ଯୋଜନା ସଫଳତାକୁ ନେଇ ସନ୍ଦେହ ଉପୁଜିଛି ।
 
କଟକଣା ଯୋଗୁଁ ଧର୍ମଶାଳାରେ ୪ଶହ କ୍ରସର ୟୁନିଟରୁ ୨୫୦ଟି ଏବେ ବନ୍ଦ ହୋଇରହିଛି । କଞ୍ଚାମାଲ ଅଭାବରୁ ହାତଗୋଡ଼ ବାନ୍ଧି ବସିଛନ୍ତି କ୍ରସର ମାଲିକ । ଅନ୍ୟପକ୍ଷରେ କ୍ରସର କ୍ଲଷ୍ଟର ପାଇଁ ଚିହ୍ନଟ ହୋଇଥିବା ଜମିର ଭିତିଭୂମି ବିକାଶ ନାଁରେ କେବଳ ରାସ୍ତା କରି ଠିକାଦାର ୮କୋଟିରୁ ଅଧିକ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ ହୋଇଛି । ଧର୍ମଶାଳା ତହସିଲର ବାଜବାଟି ଅଁଳାଝାଟି ମୌଜାରେ ୧ କୋଟି ୮୭ଲକ୍ଷ ସେହିପରି ଆରୁହାରେ ୨ କୋଟି ୪୦ ଲକ୍ଷ, ବରଡ଼ାରେ ୨ କୋଟି ୨୦ଲକ୍ଷ ଏବଂ ଅଞ୍ଜିରାରେ ୧ କୋଟି ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପଟେ କ୍ରସର କ୍ଲଷ୍ଟର ଅଧିନରେ ଥିବା ଜମି ଅଧିଗ୍ରହଣ ପାଇଁ ଇଡକୋ ପକ୍ଷରୁ କ୍ରସର ମାଲିକଙ୍କୁ ଚିଠି ହୋଇଛି । ଯଦି କ୍ରସର ମାଲିକମାନେ ପ୍ରସ୍ଥାବିତ ଜମି ନେବାକୁ ଆଗ୍ରହ ପ୍ରକାଶ ନକରନ୍ତି, ତେବେ ତାହା ଶିଳ୍ପ ଉଦ୍ଦେଶ୍ୟରେ ବ୍ୟବହାର ହେବ ବୋଲି କହିଛନ୍ତି ଧର୍ମଶାଳା ବିଧାୟକ।