କନକ ବ୍ୟୁରୋ: ଦାରିଦ୍ର୍ୟତା ଯୋଗୁଁ ନିଜର ନବଜାତ ଶିଶୁ କନ୍ୟାକୁ ମାଆ ୨୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ଏହି ଘଟଣା ଘଟିଛି । ନୂଆପଡା ସାହିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ସିଡବ୍ଲୁସି । ଚଳିତ ମାସ ଅର୍ଥାତ୍  ୩ ତାରିଖରେ ୩.୧୧.୨୪ ରେ ଜନ୍ମ ହୋଇଥିବା ଶିଶୁ କନ୍ୟାକୁ ୧୧.୧୧.୨୪ ରେ ବିକ୍ରି କରିଥିଲା ମାଆ। ବିକ୍ରି ହୋଇଥିବା ଶିଶୁ କନ୍ୟା ବର୍ତ୍ତମାନ ଆନ୍ଧ୍ରରେ ଥିବା ସୂଚନା ରହିଛି। 

Advertisment

ମିଳିଥିବା ସୂଚନା ଅନୁସାରେ , ମାଆ କୁମୁଦ ଗାଣ୍ଟା ଓ ବାପା ରାହୁଲ ଧାନବେଡ଼ ଜେକେପୁର ସ୍ଥିତ ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ରୁହନ୍ତି । ତାଙ୍କର ପୂର୍ବରୁ ୩ ବର୍ଷର ଏକ ଶିଶୁ କନ୍ୟା ରହିଛି । ବାପା ରାହୁଲ ଧାନବେଡ଼ ଦିନ ମଜୁରିଆ ଭାବେ କାମ କରନ୍ତି ।  ସେଥିରୁ ଯାହା ମିଳେ ସେଥିରେ ସ୍ୱାମୀ ସ୍ତ୍ରୀ ଚଳିବା କଷ୍ଟକର ହୋଇପଡେ ।  ରାଶନକାର୍ଡ ନଥିବାରୁ ପିଡ଼ିଏସ ଚାଉଳ ମିଳୁନି ।  ଚାଉଳ ବାହାରୁ କିଣିବାକୁ ପଡୁଛି । ଆମକୁ ସରକାରୀ ସୁବିଧା କିଛି ମିଳୁନାହିଁ । ଘର ନଥିବାରୁ ଭାଇର ଘରେ ଆଶ୍ରୟ ନେଉଛୁ ବୋଲି କହିଛନ୍ତି ମାଆ ,ବାପା । ମା’ଙ୍କ କହିବା ଅନୁଯାୟୀ ,ପିଲା ଜନ୍ମ ହେବାପରେ କତାପେଟାର ଏକ ବୁଲା ବିକାଳୀ ମହିଳା ଜଣଙ୍କ ଆସି ପିଲା ଦେଇଦବାକୁ କହି କାନ୍ଦିବାରୁ ମୁଁ ମୋ ପିଲାକୁ ଦେଇଦେଇଥିଲି ଓ ସେ ମୋତେ ୨୦ ହଜାର ଟଙ୍କା ଦେଇଛନ୍ତି ବୋଲି କହିଛନ୍ତି ମାଆ ବାପା । ଏହି ଘଟଣା ପାଇବା ପରେ ନୂଆପଡା ସାହିରେ ପହଞ୍ଚି ଉଡଉ ର ଏକ ଟିମ ତଦନ୍ତ ଆରମ୍ଭ କରିଥିବା ବେଳେ ଆସନ୍ତା କାଲି ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ଆଣି ସିଡବ୍ଲୁସି ନିକଟରେ ହସ୍ତାନ୍ତର କରିବା ପାଇଁ କୁହାଯାଇଛି ।