କନକ ବ୍ୟୁରୋ : ମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀଙ୍କ ପ୍ରତିବାଦ। ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ମଣ୍ଡିରେ ଅବ୍ୟବସ୍ଥା ନେଇ ତାତିଲେ ଚାଷୀ। ଧାନ ଟ୍ରକକୁ ଅଟକ ରଖିବା ସହିତ ସମବାୟ କାର୍ୟ୍ୟାଳୟ ଆଗରେ ଧାରଣାରେ ବସିଲେ ଶତାଧିକ ଚାଷୀ। ସୂଚନାନୁସାରେ ଗୋବିନ୍ଦପୁର ସେବା ସମବାୟ ସମିତି ସେକ୍ରେଟାରୀ କିଛି ବେପାରୀଙ୍କ ଧାନକୁ ମଣ୍ଡିରେ ବିକ୍ରି କରୁଥିବା ବେଳେ ଚାଷୀମାନେ ଏହାକୁ ବିରୋଧ କରିଥିଲେ। ମାତ୍ର ସୋସାଇଟି ସେକ୍ରେଟାରୀ ଚାଷୀଙ୍କ କଥାକୁ ଗୁରୁତ୍ୱ ନଦେଇ ବେପାରୀଙ୍କ ଧାନ ପୁନର୍ବାର ଟ୍ରକରେ ଲୋଡ଼ିଂ କରୁଥିଲେ। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଫଳରେ କିଛି ସମୟ ପାଇଁ ସୋସାଇଟି କାର୍ୟ୍ୟାଳୟ ଆଗରେ ଉତେଜନାମୂଳକ ପରିସ୍ଥିତି ଦେଖା ଦେଇଥିଲା। ଖବର ପାଇ ବାଙ୍କୀ ପୋଲିସ ଘଟଣା ସ୍ଥଳରେ ପଂହଁଚି ଚାଷୀଙ୍କୁ ବୁଝାସୁଝା କରିବାରେ ଚାଷୀମାନେ ଧାରଣାରୁ ଉଠିଥିଲେ।
ସେପଟେ ସୀମାନ୍ତବର୍ତ୍ତି ଜିଲ୍ଲାରେ ସବୁବେଳେ ଆନ୍ଧ୍ରର ମନମାନୀ। କିଛି ନା କିଛି ବିଶୃଙ୍ଖଳା କରିବାରେ ମାହିର ପଡ଼ୋଶୀ ରାଜ୍ୟ। ଏବେ ଧାନ କିଣାରେ ସବୁ ସୀମା ଟପି ଯାଇଛି ଆନ୍ଧ୍ରପ୍ରଦେଶ। ଓଡ଼ିଶା ଚାଷୀଙ୍କ ନାଁରେ ପଡ଼ୋଶୀ ରାଜ୍ୟରେ ଟୋକନ ଜେନରେଟ ହେଉଛି। ଓଡ଼ିଶା ଧାନ କିଣୁଛି ଆନ୍ଧ୍ର। ପୁଣି କମ ଦରରେ। ଗଜପତିର ଗୋସାଣୀ ଏବଂ କାଶୀନଗର ବ୍ଲକରେ ବେପାରୀଙ୍କ ପ୍ରାର୍ଦୁଭାବ ଦେଖିବାକୁ ମିଳୁଛି।
ରାଜ୍ୟ ସୀମା ବାହାରକୁ ଯାଇପରିବ ନାହିଁ ଧାନ। ବିଭାଗୀୟ ମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସିସିଟିଭି ଲଗାଯାଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଛି। ହେଲେ ଏସବୁକୁ ଆନ୍ଧ୍ର ବେପାରୀଙ୍କ ଖାତିର ନାହିଁ। ଚାଷୀଙ୍କ ଅସୁବିଧାର ଫାଇଦା ଉଠାଇ ସୀମା ଡେଇଁ ବୋହି ନେଉଛନ୍ତି ଧାନ।
ଅଦିନିଆ ବର୍ଷା, ବିଳମ୍ବିତ ମଣ୍ଡି ସାଙ୍ଗକୁ ଧାନର ଏଫଏକ୍ୟୁ ମାନକୁ ନେଇ ଚିନ୍ତାରେ ଥିବା ଚାଷୀ ଆନ୍ଧ୍ର ବେପାରୀଙ୍କ ଶିକାର ବନୁଛନ୍ତି। ସରକାରଙ୍କ ଉପରେ ଭରସା ପାଉନାହିଁ। ତେଣୁ ନିରୁପାୟ ହୋଇ ଧାନ ବେପାରୀଙ୍କୁ ବିକିବାକୁ ବାଧ୍ୟ ହେଉଛନ୍ତି। ଏବର୍ଷ ୫ଲକ୍ଷ ୮୫ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖିଛି ଗଜପତି ଜିଲ୍ଲା। ହେଲେ ଏବେ ପ୍ରାୟ ୫୦% ଚାଷୀ ଆନ୍ଧ୍ର ଦଲାଲଙ୍କୁ ବିକି ସାରିଲେଣି ଧାନ। କ୍ବିଣ୍ଟାଲ ପିଛା ୧୭ରୁ ୧୯ ଶହ ଟଙ୍କାରେ ଆନ୍ଧ୍ର ଚାଲିଯାଉଛି ଓଡ଼ିଶା ଧାନ।