କନକ ବ୍ୟୁରୋ: ବାଲିଘାଟ ଲିଜ୍ ନହେବାରୁ ଏବେ ମାଫିଆଙ୍କ ଅକ୍ତିଆରରେ ସୁନ୍ଦରଗଡର ଇବ୍ ନଦୀ । କେଉଁଠି ପୋକଲିନ୍ ଓ ଜେସିବିରେ ନଦୀ ଗର୍ଭକୁ କୋରି ହାଇୱା ଭର୍ତ୍ତି କରାଯାଉଛି, ଆଉ କେଉଁଠି ଟ୍ରାକ୍ଟରରେ ବାଲି ଲୋଡ କରୁଛନ୍ତି ଶ୍ରମିକ । ନଦୀ ପଠା ପାଲଟିଛି ବାଲି ଷ୍ଟକୟାର୍ଡ । ଛତିଶଗଡ଼ ସୀମାନ୍ତ ତେଲିଯୋରରୁ ଆରମ୍ଭ କରି ଝାରସୁଗୁଡ଼ା ପର୍ଯ୍ୟନ୍ତ ଇବ୍ ନଦୀରୁ ବାଲି ରାମ୍ପିରାମ୍ପି ଖୋଳ କରିସାରିଲେଣି ମାଫିଆ । ଭୋର ୩ଟାରୁ ଦିନ ୧୦ଟା ଏବଂ ଅପରାହ୍ଣ ୩ଟାରୁ ବିଳମ୍ବିତ ଯାଏଁ ବାଲି ଚୋରା ଚାଲାଣ । ହେଉଥିବା ଅଭିଯୋଗ ହୋଇଛି ।
ଗତ ଜାନୁଆରୀରେ କନକ ନ୍ୟୁଜ୍ରେ ଖବର ପ୍ରସାରଣ ପରେ କିଛି ମାତ୍ରାରେ ବାଲି ଚୋରା ଚାଲାଣ ବନ୍ଦ ଥିଲା । ଏବେ ପୁଣି ଆରମ୍ଭ ହୋଇଯାଇଛି । ଝାରସୁଗୁଡ଼ା, ସମ୍ବଲପୁର ଦେଇ ବାହାର ରାଜ୍ୟକୁ ଯାଉଛି ଟ୍ରିପ୍ଟ୍ରିପ୍ ବାଲି । ହାଇୱା ଟ୍ରିପ୍ ପିଛା ୧୨ରୁ ୧୫ ହଜାର ଓ ଟ୍ରାକ୍ଟର ଟ୍ରିପ୍କୁ ୨ରୁ ଅଢେଇ ହଜାର ଟଙ୍କାରେ ବିକ୍ରି କରି ମାଲାମାଲ ହେଉଛନ୍ତି ମାଫିଆ । ସେପଟେ କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର ।
ବାଲି ଚୋରା ଚାଲାଣକୁ ନେଇ ସ୍ଥାନୀୟ ବିଧାୟକ ଯୋଗେଶ ସିଂହ ବିଧାନସଭାରେ ଉଠାଇଥିବା ପରେ ମଧ୍ୟ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଅନ୍ୟପଟେ ଉପଜିଲ୍ଲାପାଳ କହିଛନ୍ତି, ତାଙ୍କ ପାଖରେ ଖବର ନାହିଁ । ଲଘୁଖଣିଜ ଦ୍ରବ୍ୟ ଏବେ ଖଣି ବିଭାଗ ଅଧିନରେ ରହିଛି। ହେଲେ ଖଣି ବିଭାଗ ନିଷ୍କ୍ରିୟତା ଯୋଗୁଁ ଖୁଲମ୍ଖୋଲା ଲୁଟ୍ ହେଉଛି ସରକାରୀ ସମ୍ପତ୍ତି ।