କନକ ବ୍ୟୁରୋ: ସୁନା ପିନ୍ଧିବାକୁ ଅନେକ ପସନ୍ଦ କରିଥାନ୍ତି। ବିଶେଷକରି ମହିଳାଙ୍କ ଭିତରେ ସୁନା ପିନ୍ଧିବାକୁ ନେଇ ବହୁ ଆଗ୍ରହ ରହିଥାଏ। ପର୍ବ, ପର୍ବାଣି ଓ ବିବାହ, ବ୍ରତରେ ଏହା ବିଶେଷ ଭାବରେ ଦେଖିବା ପାଇଁ ମିଳେ। କିନ୍ତୁ ଦିନକୁ ଦିନ ଲୁଟେରାଙ୍କ ଉତ୍ପାତ ଏତେ ମାତ୍ରାରେ ବଢ଼ି ଗଲାଣି ଯେ, ସୁନା ପିନ୍ଧିବାକୁ ଡର ଲାଗିଲାଣି। 

Advertisment

ଏୟାରଫିଲ୍ଡ ଥାନା ଅଧିନ ଲବଣଗିରି ଛକ ନିକଟରେ ଦୁଇ ମୁଖା ପିନ୍ଧା ଲୁଟେରା ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିବା ଓ ତାପରେ ମହିଳାଙ୍କ ମୃତ୍ୟୁ ହେବା ଖବରକୁ ନେଇ ଚର୍ଚ୍ଚା ଥମିନି । କାର୍ତ୍ତିକ ପୂର୍ଣ୍ଣିମାରେ ନୟାପଲ୍ଲୀ ବେହେରା ସାହି ଶିବ ମନ୍ଦିରରୁ ଜଣେ ବୃଦ୍ଧାଙ୍କ ବେକରୁ ଚେନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ଅଭିଯୋଗ ଅନୁସାରେ ୬୮ ବର୍ଷିୟ ଲକ୍ଷ୍ମୀପ୍ରିୟା ପତି ଠାକୁର ଦର୍ଶନ ପାଇଁ ଧାଡିରେ ଛିଡା ହୋଇଥିବାବେଳେ, ଭିଡର ସୁଯୋଗ ନେଇ କେହି ଅତି ଚତୁରତାର ସହିତ ଚେନ୍ ଲୁଟି ନେଇଛି। ସ୍ୱାମୀଙ୍କ ଶେଷ ସନ୍ତକ ସୁନା ଚେନଟି ହରାଇବା ପରେ ଲକ୍ଷ୍ମୀପ୍ରିୟାଙ୍କ ଆଖି ଛଳ ଛଳ ହୋଇଯାଇଛି। 

ଦିନକୁ ଦିନ ଚେନ୍ ଲୁଟେରା ଆତଙ୍କ ବଢ଼ି ଚାଲିଥିବାବେଳେ ଭୟଭୀତ ହୋଇ ପଡିଛନ୍ତି ରାଜଧାନୀବାସୀ। ସେହିପରି କଟକରେ ଗୁରୁବାର ୬ ଲୁଟେରା ଗିରଫ ପରେ କଟକବାସୀ ଭୟଭୀତ ହୋଇପଡିଛନ୍ତି। ବିଶେଷକରି ବାଲିଯାତ୍ରା ପାଇଁ ଲକ୍ଷାଧିକ ଲୋକଙ୍କ ଗହଳି ହେବାର ସମ୍ଭାବନା ଥିବାରୁ ଲୁଟେରା ଏହାର ସୁଯୋଗ ନେବାକୁ ଉଦ୍ୟମ କରିବେ। ତେଣୁ ଭୁବନେଶ୍ବର ଓ ଟୁଇନ ସିଟିରେ  ରହୁଥିବା ଲୋକେ ଏବେ ସୁନା ପିନ୍ଧିବାକୁ ଭୟ କଲେଣି। 

ତେବେ ଷ୍ଟ୍ରିଟ କ୍ରାଇମକୁ ରୋକିବାକୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି। ଅନ୍ୟପଟେ ପେଟ୍ରୋଲିଂକୁ କଡାକଡି କରିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ପୋଲିସ ଅଧିକାରୀ। 

ପ୍ରଶ୍ନ ଉଠୁଛି, ଏତେ ସବୁ ବ୍ୟବସ୍ଥା ସତ୍ତେ୍ୱ କାହିଁକି ବଢୁଛି ଲୁଟେରାଙ୍କ ଉତ୍ପାତ? ପୋଲିସକୁ ଲୁଟେରାଙ୍କ ଡର ଛାଡି ଗଲାଣି କି? ଲୁଟେରାଙ୍କ ଉତ୍ପାତ ବଢୁଥିବାବେଳେ ପୋଲିସ କରୁଛି କଣ? ପୋଲିସ ଯେମିତି ପେଟ୍ରୋଲିଂ କରିବା କଥା କରୁ ନାହିଁ କି?